କେନ୍ଦୁଝର ( ଏଟିଆର ବ୍ୟୁରୋ): କେନ୍ଦୁଝରରେ ଆରଟିଓ ଚେକିଂ ଚାଲିଥିବା ବେଳେ ଏକ ବଡ ଧରଣର ଅଘଟଣ ଘଟିଛି । ଆରଟିଓ ଡ୍ରାଇଭରଙ୍କୁ ଗୋଟିଏ ୧୪ ଚକିଆ ଟ୍ରକ ଚାପି ଦେଇଛି । ଫଳରେ ଘଟଣା ସ୍ଥଳରେ ଆରଟିଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ପୋଖରୀପାଣି ସ୍ଥିତ ଏନ ଏଚ ୨୦ ବାଇପାସ ରାସ୍ତାରେ ଆଜି ସକାଳୁ ଏମଭିଆଇ ଙ୍କ ସମେତ ଆରଟିଓ କର୍ମଚାରୀ ଗାଡି ଚେକିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ୧୪ ଚକିଆ ଟ୍ରକକୁ ଅଟକାଇ ବାକୁ ଚେଷ୍ଟା କରିଥିଲେ ।
ଡ୍ରାଇଭର ଗାଡିକୁ ହାତ ଦେଖେଇ ଅଟକାଇବାକୁ ଚେଷ୍ଟା କରୁଥିଲେ । ମାତ୍ର ଡ୍ରାଇଭର ଗାଡି ନ ଅଟକାଇ ସିଧା ଆରଟିଓ ଡ୍ରାଇଭରଙ୍କ ଉପରେ ଗାଡି ଚଢାଇ ଦେଇଥିଲା । ମୃତ ଡ୍ରାଇଭରଙ୍କ ନାଁ ବିଜୟ କୁମାର ମହାନ୍ତ ବୋଲି ଜଣା ପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।