ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ଦିନ ପରେ ଆରମ୍ଭ ହୋଇ ଯିବ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା । ଏଥିପାଇଁ ଗୁରୁବାର ମନ୍ଦିର ସନ୍ନିକଟ ଥିବା ରଥଖଳାରେ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ କରାଯାଇଛି । ବୈଦିକ ରୀତିନୀତି ଅନୁସାରେ ସମସ୍ତ ପୂଜା କାର୍ଯ୍ୟ କରାଯାଇ ରଥ କାଠର ଅନୁକୂଳ କରାଯାଇଛି । ପ୍ରାତଃରୁ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ଆଳତି, ଅବକାଶ, ସର୍ବସାଧାରଣ ଦର୍ଶନ, ପରେ ମାଘ ସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଖଇଦହି ବଲ୍ଲଭ, ଠାକୁରାଣୀଙ୍କ ଖଇଦହି ବଲ୍ଲଭ ଶେଷ ହେବା ପରେ ମନ୍ଦିରରୁ ସ୍ବତନ୍ତ୍ର ଶୋଭାଯାତ୍ରାରେ ଶ୍ରୀଲିଙ୍ଗରାଜଙ୍କ ମହାପ୍ରସାଦ ରଥଖଳାକୁ ନିଆଯାଇଥିଲା।
ପୂଜାପଣ୍ଡାମାନେ ପାଳିଆ ସେବାୟତଙ୍କ ଉପସ୍ଥିତିରେ ସମସ୍ତ ଷୋଡଶ ଉପଚାର କରି ରଥକାଠର ପୂଜା କରିଥିଲେ । ଆଳତି ପରେ ସର୍ଦ୍ଦାରୀ ମହାରଣା, ବଟକୃଷ୍ଣ ମହାରଣା, ସୋମନାଥ ମହାରଣାଙ୍କ ଉପସ୍ଥିତିରେ କେଦାରନାଥ ମହାରଣା, ଜଗନ୍ନାଥ ମହାରଣା ଏବହ ବାବାଜୀ ମହାରଣା କାଠରେ କୁରାଢି ଲଗାଇ ଅନୁକୂଳ ସମ୍ପନ୍ନ କରିଥିଲେ। ଏହା ପରେ ଠାକୁରଙ୍କ ସକାଳ ଧୂପ ହୋଇ ଅନ୍ୟାନ୍ୟ ନୀତି ହୋଇଥିଲା। ତେବେ ଦୋଳପୂର୍ଣ୍ଣମୀର ଦୁଇଦିନ ପରଠାରୁ ରଥ ପାଇଁ କାମ ଆରମ୍ଭ ହୋଇ ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀ ଅଧରାତି ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥାଏ । ଏଥିପାଇଁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ମହାରଣାମାନେ କାର୍ଯ୍ୟ କରିଥାନ୍ତି ।