ଭୁବନେଶ୍ୱର,(ଏଟିଆରବ୍ୟୁରୋ): ନିଜର ଗୁଣଗାନ କରିବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ କିପରି ନାହିଁ ନଥିବା ହଇରାଣ ହରକତ କରାଯାଇପାରେ ତାହା ଦେଖିବାକୁ ମିଳିଛି ରାଜ୍ୟର ଏକ ନମ୍ବର ଘରୋଇ ସ୍କୁଲ ଦାବି କରୁଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ । ଆମେ ଏଥିପାଇଁ ଏମିତି କହୁଛୁ କାରଣ ମୁଣ୍ଡଫଟା ଖରାରେ ପିଲାମାନଙ୍କୁ ଆଜି ସିଝିବାକୁ ପଡିଛି । କେବଳ ପିଲାମାନେ କାହିଁକି ସେମାନଙ୍କ ଅଭିଭାବକମାନେ ମଧ୍ୟ କମ ନାକେଦମ ହୋଇନାହାନ୍ତି । ଘଣ୍ଟା ଘଣ୍ଟା ଖରାରେ ବସି ଝାଳରେ ଗାଧେଇଥିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି ।
ରିପୋର୍ଟ ଅନୁସାରେ, ସ୍କୁଲର ୧୦ବର୍ଷ ପାଳନ ପୂତ୍ତୀ ଅବସରରେ ଆୟାଜିତ ହୋଇଥିଲା ଏକ କାର୍ଯ୍ୟକ୍ରମ । ଯେଉଁଥିରେ ଉପରାଷ୍ଟ୍ରପତିଙ୍କଠୁ ନେଇ ରାଜ୍ୟପାଳ ଯୋଗ ଦେଇଥିଲେ । ୧୦ବର୍ଷ ଭିତରେ ପିଲାମାନଙ୍କୁ କେମିତି ଏହି ସ୍କୁଲ ଗଢ଼ି ତୋଳିଛି ସେ ସମ୍ପର୍କରେ ବଖାଣିବା ଲାଗି କର୍ତ୍ତୃପକ୍ଷ ଉକ୍ରଳଦିବସ ଅବସରରେ ଆୟାଜନ କରିଥିଲେ ଏକ ବଡ଼ କାର୍ଯ୍ୟକ୍ରମ । ଖାସ ଏଥିପାଇଁ ସାଢ଼େ ୭ଟାରେ ପୂର୍ବରୁ ପହଞ୍ଚିବା ଲାଗି ପିଲାମାନଙ୍କୁ ସ୍କୁଲ ପକ୍ଷରୁ କୁହାଯାଇଥିଲା । ପିଲାମାନେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ହାଜର ହୋଇଯାଇଥିଲେ । ହେଲେ ଅତିଥି ପହଞ୍ଚି କାର୍ଯ୍ୟକ୍ରମ ହେବା ବେଳକୁ ସମୟ ପାଖାପାଖି ସାଢ଼େ ୯ ହୋଇ ସାରିଥିଲା ।
ଏହାପରେ କାର୍ଯ୍ୟକ୍ରମ ଯଦିଓ ଆରମ୍ଭ କରାଯାଇଥିଲା କିନ୍ତୁ ସେତେବେଳକୁ ଖରାର ପ୍ରକୋପ ବଢ଼ିବାରେ ଲାଗିଥିଲା । ଏ କଥା ନୁହେଁ ଯେ, ପିଲାଙ୍କ ବସିବା ଲାଗି କୌଣସି ବ୍ୟବସ୍ଥା ହୋଇନଥିଲା କିନ୍ତୁ ମୁଣ୍ଡ ଉପରେ ଯେଉଁ ଚାଦର ପରି ଟେଣ୍ଟ କପଡ଼ା ଲାଗିଥିଲା ତାହା ତ’ ଥାଇ ନଥିଲା ପରି । ସେପଟେ ଗରମକୁ ଏଡାଇବା ଲାଗି ଯଦିଓ ପିଲାଙ୍କ ମୁଣ୍ଡ ଉପରେ କେତୋଟି ଫ୍ୟାନ୍ ଖଞ୍ଜାଯାଇଥିଲା ତା’ କଥା ନକହିଲେ ଭଲ । ସମୁଦ୍ରଙ୍କୁ ସଙ୍ଖେ ପରି ଫ୍ୟାନ୍ ଅବସ୍ଥା । ପାଖାପାଖି ୧୦୦୦ପିଲାଙ୍କ ପାଇଁ ବ୍ୟବସ୍ଥା ଥିବା ବେଳେ ଫ୍ୟାନ୍ ପବନ ୧୦୦ପିଲାଙ୍କ ଦେହରେ ବାଜିବା ବି ମୁସ୍କିଲ । ଯାହା ପିଲାଙ୍କୁ ଅକଳରେ ପକାଇଥିଲା । ଉପାୟଶୂନ୍ୟ ହୋଇ ପିଲାମାନେ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଗୁଳଗୁଳିରେ ବସିବାକୁ ବାଧ୍ୟ ହୋଇଥିଲେ । ସେପଟେ ସବୁଠୁ ବଡ଼ କଥା ଥିଲା ପିଲାମାନଙ୍କୁ ଅପେକ୍ଷା କରିବି ନାକେଦମ ହୋଇଥିଲେ ଅଭିଭାବକ । କାର୍ଯ୍ୟକ୍ରମ ସରିବା ପରେ ପିଲାମାନଙ୍କ ବାହାରିବା ଲାଗି ଯେଉଁ ପ୍ରସ୍ଥାନ ଗେଟ ରହିଥିଲା ତାହା ସବୁଠୁ ବଡ଼ ମୁଣ୍ଡ ବିନ୍ଧାର କାରଣ ଥିଲା ।
କାର୍ଯ୍ୟକ୍ରମ ସାରି ପିଲାମାନେ ନିଜର ଅଭିଭାବକଙ୍କ ପାଖରେ ପହଞ୍ଚିବା ବେଳକୁ କାହାକୁ କାହାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଥିବା ଦେଖିବାକୁ ମିଳିଥିଲା । ସିଧା କହିବାକୁ ଗଲେ ଏକ ପ୍ରକାର ଅବ୍ୟବସ୍ଥା ଭିତରେ କାର୍ଯ୍ୟକ୍ରମ କରି ନିଜର ପ୍ରଚାର ଓ ପ୍ରସାର କରିବା ଲାଗି ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କୁ କେବଳ ଢ଼ାଲ ବନାଇଥିଲେ । ସବୁଠୁ ଚିନ୍ତାର ବିଷୟ ଥିଲା ଅଭିଭାବକଙ୍କ ପାଖରେ ସେମାନଙ୍କ ପିଲା ପହଞ୍ଚିବା ପର୍ଯ୍ୟନ୍ତ ସ୍କୁଲ ପକ୍ଷରୁ କୌଣସି ସୁବନ୍ଦୋବସ୍ତ କରାଯାଇନଥିଲା । ବିନା ସିକ୍ୟୁରିଟିରେ ପିଲାମାନେ ଯେଭଳି ବାହାରିଥିଲେ ସେହି ସମୟରେ ଅଭିଭାବକଙ୍କ(ପୁରୁଷ-ମହିଳା) ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଏହି ଧସ୍ତାଧସ୍ତି ଭିତରେ କେତେକ ପିଲା ଫସିଯାଇଥିବା ନଜରକୁ ଆସିଥିଲା ।
ଯାହା ସ୍କୁଲର ଦାୟିତ୍ୱହୀନତାକୁ ଏବେ ପଦାରେ ପକାଇଛି । ଆଶା କରିବୁ ଏହି ରିପୋର୍ଟ ପଢ଼ିବା ପରେ ଆଗକୁ ହେବାକୁ ଥିବା କାର୍ଯ୍ୟକ୍ରମରେ ଉଚିତ ବ୍ୟବସ୍ଥା କରିବେ ସ୍କୁଲ କର୍ତ୍ତୃପକ୍ଷ । ନଚେତ୍ ଆମେ ଭାବିବାକୁ ବାଧ୍ୟ ହେବୁ ନିଜର ଗୁଣଗାନ ଓ ପ୍ରଚାର ଲାଗି କେବଳ ପିଲାଙ୍କୁ ମୋହରା ବନାଇବାରେ ହେଳା କରୁନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ । ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍