ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ବିଦ୍ୟୁତ ଯୋଗାଣ ସେବାକୁ ସରକାର ଘରୋଇ କରଣ କରିବା ପରେ ଏବେ ସରକାରଙ୍କୁ ଘେରିଛନ୍ତି ଉପଭୋକ୍ତା ମହାସଂଘ । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଉପଭୋକ୍ତା ମହାସଂଘ ବିରୋଧ କରିଛି । ସୂଚନାଯୋଗ୍ୟ ସେସୁକୁ ଟାଟା ହାତକୁ ଟେକି ଦେବାକୁ ସହଜରେ ଗ୍ରହଣ କରି ପାରୁନାହିଁ ଉପଭୋକ୍ତା ମହାସଂଘ । ମହାସଂଘ ଅଭିଯୋଗ କରିଛି ଯେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପ୍ରଥମେ ଓଡିଶାରେ ଆସିଥିଲା । ଯାହାକୁ ଏବେ ଦେଶର ଅନ୍ୟ ରାଜ୍ୟମାନେ ଅନୁସରଣ କରୁଛନ୍ତି ।
ମାତ୍ର କେଉଁଭଳି ପରିସ୍ଥିତିରେ ରାଜ୍ୟ ସରକାର ବିଦ୍ୟୁତ ସେବାକୁ ଘରୋଇ କମ୍ପାନୀ ହାତରେ ଟେକି ଦେଉଛନ୍ତି ତାକୁ ନେଇ ଏକ ସାମ୍ବାଦିକ ସମ୍ମୀଳନୀରେ ପ୍ରଶ୍ନ ଉଠାଇଛି ସଂଘ । ଆହୁରି ମଧ୍ୟ କୁହାଯାଇଛି ଘରୋଇ କମ୍ପାନୀକୁ ୫୧ ପ୍ରତିଶତ ଦେଇ ସରକାର ୪୯ ପ୍ରତିଶତ ଅଂଶଧନ ରଖିବା ବଡ ଦୁର୍ଭାଗ୍ୟର କଥା । ସେସୁରେ କର୍ମଚାରୀମାନଙ୍କ ୧୦ ପ୍ରତିଶତ ହକ ରହିଥିଲେ ମଧ୍ୟ ସେମାନଙ୍କ ସହିତ ଆଲୋଚନା ହେଉନାହିଁ ।
ସରକାର କେଉଁଭଳି ଭାବରେ ସିଙ୍ଗଲ ବିଡରେ ଟାଟାକୁ ଲାଇସେନ୍ସ ପ୍ରଦାନ କରୁଛନ୍ତି ତାକୁ ନେଇ ସେ ସରକାରଙ୍କୁ ଘେରିଛନ୍ତି । ଅନ୍ୟପଟେ ସେସୁର ଏବେ ଗ୍ରାହକଙ୍କ ଉପରେ ୧ ହଜାର ୯ ଶହ କୋଟି ଟଙ୍କା ବକେୟା ରହିଛି । ପୂର୍ବରୁ ମଧ୍ୟ ଅନେକଥର ଘରୋଇ କମ୍ପାନୀକୁ ବିଦ୍ୟୁତ ଯୋଗାଣ ସେବା ପ୍ରଦାନ କରିଥିଲେ । ଯାହାର ସିଧା ପ୍ରଭାବ ଭୋଗୀଥିଲେ ସାଧାରଣ ଲୋକ । ମନ ଇଚ୍ଛା ଦର ବୃଦ୍ଧି ଯୋଗୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ ।