ପୁରୀ(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ତରଫରୁ ପୁରୀକୁ ବିଶ୍ୱ ଐତିହରେ ପରିଣତ କରିବା ପାଇଁ ବହୁ ପଦକ୍ଷେପ ନିଆଯାଉଛି । କିଛି ଦିନ ତଳେ ପୁରୀ ମନ୍ଦିର ଚାରିପଟୁ ଜବରଦଖଲ ଉଚ୍ଛେଦ କରାଯାଇ ଏହାର ଉନ୍ନତି କରଣ କରାଯାଇଥିଲା । ତେବେ ଏହା ପରେ ରାଜ୍ୟ ସରକାର ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରିବା ପାଇଁ ଶାମୁକା ପ୍ରକଳ୍ପର ଯୋଜନା କରିଥିଲେ । ଆଜି ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଶାମୁକା ପ୍ରକଳ୍ପର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକ ପରେ ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କ ସୂଚନା ଦେଇ କହିଛନ୍ତି ଯେ, ଏହି ଶାମୁକା ପ୍ରକଳ୍ପ ପୁରୀର ସିପ୍ ସରୁବାଲିରେ ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ଇଡକୋ ପକ୍ଷରୁ ୯୭୨ ଏକର ଜମି ଅଧିଗ୍ରହଣ କରିସାରିଛି । ଶାମୁକା ପ୍ରକଳ୍ପରେ ବଡ ବଡ ହୋଟେଲ, ସ୍ପା, ମ୍ୟୁଜିୟମ ଓ ବାସଗୃହ ଆଦି ରହିବ । ଆସନ୍ତା ୪ ମାସ ଭିତରେ ଏହି ପ୍ରକଳ୍ପ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି । ଆଗାମି ୩ ରୁ ୫ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ କରାଯିବାର ଲକ୍ଷ ରଖାଯାଇଛି ।