ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ-୨୦୧୯ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି । ଦିନକୁ ଦିନ ଓଡିଆ ଭାଷାର ପ୍ରସାର କମିବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାର ବର୍ତ୍ତମାନ ଓଡ଼ିଶାରେ ଯୁକ୍ତଦୁଇ ପର୍ଯ୍ୟନ୍ତ ଓଡିଆ ଭାଷାକୁ ବାଧ୍ୟତା ମୂଳକ କରିଛନ୍ତି ।
ତେବେ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ କବି ଶ୍ରୀ ହର ପ୍ରସାଦ ଦାସ କହିଛନ୍ତି ଓଡିଆ ଭାଷାରେ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିବା ଭଳି ମାନସିକତାରୁ ଦୂରେଇ ରହି ଆମକୁ ଦ୍ୱିଭାଷୀ ହେବାକୁ ପଡିବ ।
ଉଭୟ ଓଡିଆ ଓ ଇଂରାଜୀରେ ଆମକୁ ପ୍ରବୀଣ ହେବାକୁ ପଡିବ । ଯାହା ଦ୍ୱାରା ଇଂରାଜୀ ଭାଷା ଆମକୁ ଆନ୍ତର୍ଜାତୀୟ ସ୍ଥରରେ ସହାୟକ ହେଲା ବେଳେ ଓଡିଆ ଭାଷାରେ ନିପୁଣତା ଆମକୁ ଆମ ସଂସ୍କୃତି, ସାହିତ୍ୟ ସହିତ ବାନ୍ଧି ରଖିବାରେ ସହାୟକ ହେବ । ଓଡିଆ ଭାଷାରେ ଆମେ ନିଜକୁ ଶକ୍ତ କରିବା ସହ ଆଧୁନିକତା କୁ ଆପଣେଇ ପାରିବା ।
ତେବେ ଏହି ଉତ୍ସବରେ ସାରଳା ଦାସଙ୍କ ଦ୍ୱାରା ମହାଭାରତ ରଚନାର ବିସ୍ତୃତ ବିବରଣୀ ଆଲୋଚନା ହେବା ସହିତ ସାରଳା ସାହିତ୍ୟ ସଂସଦକୁ ବ୍ୟାସକବି ଫକୀର ମୋହନ ଓଡିଆ ଭାଷା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।