କଟକ (ଏଟିଆର ବ୍ୟୁରୋ); ଏସସି,ଏସଟି କୋର୍ଟରେ ହାଜର ହେଲେ ସନ୍ତୋଷ ରାଉଳ ଔରଫ ସାରଥୀ ବାବା । କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ତେବେ କୋର୍ଟରେ ଆଉ ୨ ଅଭିଯୁକ୍ତ ଅନୁପସ୍ଥିତ ରହିଥିଲେ । ଯେଉଁଥିପାଇଁ ଚାର୍ଜଫ୍ରେମ୍ ହୋଇପାରିନଥିବା ଜଣାପଡିଛି । ଆସନ୍ତା ୧୭ ତାରିଖରେ କୋର୍ଟରେ ଚାର୍ଜଫ୍ରେମ ଦାଖଲ କରିବ କ୍ରାଇମବ୍ରାଞ୍ଚ ।
ସୂଚନାଯୋଗ୍ୟ, କେନ୍ଦ୍ରାପଡା ବାରିମୂଳରେ ଆଶ୍ରମ କରିଥିଲେ ବାବା ସାରଥୀ । ରାଜ୍ୟର ବହୁ କୋଣ ଅନୁକୋଣରୁ ତାଙ୍କ ପାଖକୁ ଭକ୍ତମାନେ ଯାଉଥିଲେ । ଆତ୍ମଘୋଷିତ ବାବାଙ୍କ ମଧ୍ୟରେ ସାରଥୀ ଅନ୍ୟତମ । ତେବେ ସେ ବହୁତ କେଳେଙ୍କାରୀରେ ଜଡିତ ଥିଲେ । ଲୋକଙ୍କ ଭାବନା ସହିତ ଖେଳ ଖେଳୁଥିବା ଭଳି ଅଭିଯୋଗ ତାଙ୍କ ନାମରେ ରହିଛି । ତେବେ ସେ ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ଜଣେ ଯୁବତୀଙ୍କ ସହ ଯାଇଥିବା ବେଳେ ଧରାପଡିଥିଲେ । ଏହାପରେ ସନ୍ତୋଷ ରାଉଳ ଔରଫ ବାବା ସାରଥୀଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା ପୋଲିସ ।
ସାରଥୀ ଗିରଫ ହେବା ପରେ କିଛିଦିନ ପାଇଁ ଅଶାନ୍ତ ହୋଇଥିଲା କେନ୍ଦ୍ରାପଡା । ମଝିରେ ବାବାଙ୍କର କିଛି ଭକ୍ତ ପୁଣିଥରେ ପୂଜାଚ୍ଚନା ମଧ୍ୟ ଆରମ୍ଭ କରିଥିଲେ । ଏବେ ମଧ୍ୟ କେତେକ ଭକ୍ତ ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି । ତେବେ ବାବା ସାରଥୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ଭଣ୍ଡ ବାବାଙ୍କ ଗୁମର ମଧ୍ୟ ଖୋଲିଥିଲା । ଏମିତିକି ତ୍ରାହି ଅଚ୍ୟୁତ ଆଶ୍ରମର ବାବା ସୁର ମଧ୍ୟ ଜେଲ ଯାଇଥିଲେ ।