ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି । କମିଶନରେଟ ପୁଲିସ ମୁଖ୍ୟାଳୟ ଠାରେ ପୁଲିସ କମିଶନର ୱାଇବି ଖୁରାନିଆ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଦ୍ୱୈତନଗରୀର ଷଷ୍ଠ ପୁଲିସ କମିଶନର ଭାବେ ଶ୍ରୀ ମହାନ୍ତି ଦାୟିତ୍ୱ ତୁଲାଇବେ ।
୧୯୮୮ ମସିହା ବ୍ୟାଚର ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ୧୯୯୦ ମସିହାରେ ଜୟପୁର ଅତିରିକ୍ତ ଏସପି ଭାବରେ ପୁଲିସ ସେବା ଆରମ୍ଭ କରିଥିଲେ । ଏହାପରେ ପୁରୀ, ରାଉରକେଲା, କୋରାପୁଟ, କଟକ ଓ ବାଲେଶ୍ୱରରେ ସେ କାର୍ଯ୍ୟ କରିଥିଲେ । ଉତରାଂଚଳ, କେନ୍ଦ୍ରାଂଚଳ ଓ ପଶ୍ଚିମାଂଚଳ ଡିଆଇଜି ଭାବେ କାର୍ଯ୍ୟ କରିବା ସହ ପଶ୍ଚିମାଂଚଳ ଓ ଅଗ୍ନିଶମ ତଥା ଗୃହରକ୍ଷୀ ବିଭାଗୀୟ ଆଇଜି ଭାବେ କାର୍ଯ୍ୟ କରିଛନ୍ତି ସତ୍ୟଜିତ ମହାନ୍ତି ।
୨୦୦୪ ମସିହାରେ ତାଙ୍କୁ ଉତ୍ତମ ପୁଲିସ ସେବା ପାଇଁ ସମ୍ମାନଜନକ ପୁଲିସ ମେଡାଲ ପ୍ରଦାନ କରାଯାଇଥିଲା । ଟେନିସ ଖେଳରେ ବେଶ ରୁଚି ରଖୁଥିବା ଆଇପିଏସ ସତ୍ୟଜିତ ମହାନ୍ତି ତିନିଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସତ୍ୟଜିତ ନୂଆ ପୁଲିସ କମିଶନର ତିନିଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ବରିଷ୍ଠ ନାଗରିକ ଓ ମହିଳାଙ୍କ ସୁରକ୍ଷା ସମେତ ସାଇବର ଅପରାଧ ଉପରେ ନଜର ରଖିବେ । ଏହାବାଦ ଖୁବଶୀଘ୍ର ଭୁବନେଶ୍ୱରରେ ସାଇବର ସେଲ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
ଜନସାଧାରଣ ଙ୍କ ସହଯୋଗ ରହିଲେ ଆଗାମୀ ଦିନରେ କମିଶନରେଟ ପୋଲିସ ସମସ୍ତଙ୍କ ଆସ୍ଥା ଭାଜନ ହୋଇପାରିବ ବୋଲି ସତ୍ୟଜିତ ମହାନ୍ତି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । କମ୍ୟୁନିଟି ପୋଲିସିଂ କୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ସେହିଭଳି ମାନବ ସମ୍ବଳ ଅଭାବ ଯୋଗୁ କିଛି ଯୋଜନା ଫଳପ୍ରଦ ହୋଇନଥିବା ସେ ସ୍ୱୀକାର କରିଛନ୍ତି । ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ସିଷ୍ଟମ କୁ ଖୁବ ଶୀଘ୍ର ଟୁଇନ ସିଟି ରେ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ଦୁଇଟି ମଡେଲ ଥାନାର ଚଳିତ ମାସରେ ଉଦଘାଟିତ ହେବ ବୋଲି ସେ କହିଛନ୍ତି ।
ସାଧାରଣ ତଥା ପୋୖର ନିର୍ବାଚନ ର କିଛି ମାସ ପୂର୍ବରୁ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ତାଙ୍କ ସମ୍ମୁଖରେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ରହିବ । ସେହିପରି ଅପରାଧ ନିୟନ୍ତ୍ରଣ , ଭିଭିଆଇପି ସୁରକ୍ଷା , ମହିଳା ସୁରକ୍ଷା , ଜମିବାଡ଼ି ଗଣ୍ଡଗୋଳ , ସାଇବର ଅପରାଧ , ଟ୍ରାଫିକ ନିୟନ୍ତ୍ରଣ ସହ ଆଗାମୀ ଦିନରେ ହକି ବିଶ୍ୱକପ ର ସଫଳ ଆୟୋଜନ ର ଚ୍ୟାଲେଞ୍ଜ ନୂତନ କମିଶନର ଙ୍କ ସମ୍ମୁଖରେ ରହିବ । କିନ୍ତୁ ଜଣେ ପୋଲିସ ଅଧିକାରୀ ଭାବେ ସେ ପ୍ରତେକ ଟି କ୍ଷେତ୍ରରେ ନିଜ କାର୍ଯ୍ୟରୁ ସୁଚାରୁ ରୁପେ ପ୍ରତିପାଦନ କରିବାର ବହୁ ନଜିର ପୂର୍ବରୁ ରହିଥିବା କିଛି ପୂର୍ବତନ ପୋଲିସ ଅଧିକାରୀ ମତ ପ୍ରକାଶ କରିଛନ୍ତି ।