ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ସୁରୁଖୁରୁରେ ପ୍ରଶ୍ନଉତ୍ତରକାଳ ଚାଲିଥିଲା । ପ୍ରଥମେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଉପରେ ପ୍ରଶ୍ନଉତ୍ତର ଚାଲିଥିବା ବେଳେ ପରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଉପରେ ପ୍ରଶ୍ନଉତ୍ତର ଚାଲିଥିଲା । ଅନୁସୂଚୀତ ଜାତି ଓ ଜନଜାତି ସାକ୍ଷରତା ସମ୍ପର୍କରେ ପ୍ରଶ୍ନ କରିବାରୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏ ବାବଦରେ ଗୃହରେ ଉତ୍ତର ରଖିଥିଲେ । ମନ୍ତ୍ରୀ ନିଜ ଉତ୍ତରରେ କହିଥିଲେ କି , ଅନୁସୂଚୀତ ଜାତି ଓ ଜନଜାତି ସାକ୍ଷରତା ହାର ୬୯.୨ପ୍ରତିଶତ ରହିଛି ।
ରାଜ୍ୟ ସରକାର ପିଲାଙ୍କ ପାଠ ପଢିବା ନିମନ୍ତେ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଳିଙ୍ଗ ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ, ସେବାଶ୍ରମ ଓ ଆଶ୍ରମ ସ୍କୁଲ ଆଦି ତିଆରି କରିଛନ୍ତି । ସେଥିମଧ୍ୟରୁ ୪୨୨ଟି ଉଚ୍ଚ ବିଦ୍ୟାଳୟ, ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୧୦ଟି କଳିଙ୍ଗ ଆଦର୍ଶ ବିଦ୍ୟାଳୟ, ୨୭ଟି ଏକଲବ୍ୟ ବିଦ୍ୟାଳୟ, ୫୦୧ଟି ସେବାଶ୍ରମ ଓ ୭୦୦ଟି ଆଶ୍ରମ ସ୍କୁଲ ରହିଛି । ପାଖାପାଖି ୧୯ଟି ଜିଲ୍ଲାରେ ସାକ୍ଷରତା ହାର କମ ରହିଥିବାରୁ ସେଠାରେ ସଂଯୋଜକ ଓ ପ୍ରେରକ ନିଯୁକ୍ତି କରାଯାଇଛି । ସେହିଭଳି ଆମ କଥା ଭାରତ ସାକ୍ଷରତା ଭଳି ଏକ ଯୋଜନା ମଧ୍ୟ କାର୍ଯ୍ୟ କରୁଥିବା କଥା ମନ୍ତ୍ରୀ ନିଜ ଉତ୍ତରରେ କହିଥିଲେ ।