କଟକ ( ଏଟିଆର ବ୍ୟୁରୋ): କୋଭିଡ ପାଇଁ ଦୀର୍ଘ ୬ ମାସ ହେଲା ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ କେବଳ ଅନଲାଇନ କ୍ଲାସ କରୁଛନ୍ତି । ତେଣୁ ଘରୋଇ ସ୍କୁଲ ଗୁଡିକ ସ୍କୁଲ ଫି ଛାଡ କରିବାକୁ ଦୀର୍ଘ ଦିନ ହେଲା ଦାବି କରି ଆସୁଛି ଓଡିଶା ଘରୋଇ ସ୍କୁଲ ଅଭିଭାବକ ମହାସଂଘ । ଏନେଇ ଘରୋଇ ସ୍କୁଲ ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥିଲା ।
ତେବେ ଆଜି ଏହି ମାମଲାର ବିଚାର କରି ଆଇକୋର୍ଟ କହିଛନ୍ତି ଆପୋଷ ବିଚାର ବିମର୍ଶ ମାଧ୍ୟମରେ ବିବାଦର ସମାଧାନ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ଏହି ମାମଲାର ପ୍ରାଥମିକ ଶୁଣାଣୀ କରି ହାଇକୋର୍ଟ କନଫରେନ୍ସ ଅଫ ପବ୍ଲିକ ସ୍କୁଲକୁ ପକ୍ଷ ରଖିବାକୁ ନୋଟିସ ଜାରି କରିଥିଲେ ।
ଏବେ ହାଇକୋର୍ଟ ଏହି ମାମଲାରେ ରାଜ୍ୟ ଗଣଶିକ୍ଷା ବିଭାଗର ସଚିବଙ୍କ ମଧ୍ୟସ୍ଥତାରେ ଅଭିଭାବକ ମହାସଂଘ, କନ୍ଫେଡେରେସନ୍ ଅଫ୍ ପବ୍ଲିକ୍ ସ୍କୁଲ୍ସ, ସ୍କୁଲ କର୍ତ୍ତୃପକ୍ଷ ଏବଂ ଅନ୍ୟ ପକ୍ଷଭୁକ୍ତଙ୍କ ଏକ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ମାମଲାର ଆପୋଷ ସମାଧାନ କରାଯିବ । ଏହି ବୈଠକର ନିର୍ଯ୍ୟାସ ଅନୁସାରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି ।