ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ୨ ଦିନ ହେଲା ରାଜ୍ୟରେ ଲାଗି ରହିଛି ବର୍ଷା । ଯାହାର ପ୍ରଭାବରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେଣି । ଟିକିଏ ଫୁରସତ ନାହିଁ । ଘରୁ ବାହାରକୁ ଗୋଡ କାଢି ହେଉନାହିଁ । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ । ଏଥିପାଇଁ ୧୦ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି ।
ସେହିସବୁ ଜିଲ୍ଲାଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଯାଜପୁର । ଏହି ଜିଲ୍ଲା ମାନଙ୍କ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ପାଣିପାଗ ବିଭାଗ। ବର୍ଷାକୁ ଦୃଷ୍ଟିରେ ରଖି ଏହିସବୁ ଜିଲ୍ଲାର ଜିଲ୍ଲାପାଳ ମାନେ ଆଜି ଦିନକୁ ଛୁଟି ଘୋଷଣା କରିଛନ୍ତି । ସେହିପରି ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
୪୮ ଘଣ୍ଟା ପରେ ପାଣିପାଗରେ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଏବେ ବର୍ଷା ଲାଗି ରହିଛି ।