ଭୁବନେଶ୍ୱର,(ବ୍ୟୁରୋ): ରାଜନେତାଙ୍କ ଅପେକ୍ଷା ଓଡ଼ିଶାରେ ପ୍ରଶାସନିକ ଅଧିକାରୀଙ୍କ ଦବ୍ଦବା ଅଧିକ ରହିଛି ବୋଲି ପୂର୍ବରୁ ସମସ୍ତେ ଜାଣିଛନ୍ତି । ତେବେ ଏବେ ଶୁଣିବାକୁ ମିଳୁଛି ଯେ, ଯେହେତୁ ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି ତେଣୁ ସେମାନେ ନିଜ ମର୍ଜିରେ କାର୍ଯ୍ୟ କରୁଥିବା କୁହାଯାଉଥିଲା । କିନ୍ତୁ ଏବେ କିଛି ଓଲଟା କଥା ଶୁଣିବାକୁ ମିଳୁଛି ।
କିଛି ବରିଷ୍ଠ ଆଇଏଏସ କାର୍ଯ୍ୟରେ ମୁଷ୍ଟିମେୟ ଲୋକମାନେ ମାତ୍ରାଧିକ ହସ୍ତକ୍ଷେପ କରୁଥିବା ଚର୍ଚ୍ଚା ହେଉଛି । ଏଥିପାଇଁ କୁଆଡ଼େ ପ୍ରଶାସନିକ ବିଧିବ୍ୟବସ୍ଥାରେ ଅନେକ ସମସ୍ୟା ସୃଷ୍ଟି ହେଉଛି ବୋଲି ସେମାନେ ମତ ଦେଇଛନ୍ତି । ଏପରି କି କିଛି ଆଇଏଏସ୍ ଏଭଳି ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ନିଜ କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରିବା ପାଇଁ ବିଶେଷ ଆଗ୍ରହ ଦେଖାଉନାହାନ୍ତି ।
ଶୁଣିବାକୁ ମିଳିଛି ସଚିବାଳୟର ଥାର୍ଡ ଫ୍ଲୋରରେ ମାତ୍ରାଧିକ ହସ୍ତକ୍ଷେପ ଓ ଦ୍ୱିତୀୟ ମହଲା ସହ ସମନ୍ୱୟ ଅଭାବ ଯୋଗୁ ଅନେକ ପ୍ରଶାସନିକ କାର୍ଯ୍ୟ ଠିକ୍ ଢଙ୍ଗରେ ହୋଇପାରୁନି । ନିକଟରେ ଜଣେ ଶୀର୍ଷ ପଦସ୍ଥ ଆଇଏଏସ୍ ଅଫିସର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ । କିନ୍ତୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଅନୁମତି ମିଳିନଥିଲା । ଏପରି କି ସେ କ’ଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି, ସେକଥା କାଗଜରେ ଲେଖିକି ଦେବାକୁ ତାଙ୍କୁ କୁଆଡ଼େ କୁହାଯାଇଥିବା, ଏବେ ଚର୍ଚ୍ଚା ହେଉଛି ।
କିନ୍ତୁ ନିମୟ ଅନୁସାରେ ବା ପ୍ରୋଟୋକାଲ୍ ଯେହେତୁ ଅଫିସର ଜଣଙ୍କ ଶୀର୍ଷ ପାହ୍ୟାରେ ଅଧିଷ୍ଠିତ, ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ କୌଣସି ସମସ୍ୟା ରହିବା କଥା ନୁହେଁ । ହେଲେ ତାଙ୍କୁ ମଧ୍ୟ ଅଣଦେଖା କରାଯାଇଥିଲା । ଏଥିପାଇଁ ସେ ନିଜ କର୍ତ୍ତବ୍ୟ ଠିକ୍ ଭାବେ କରିବାକୁ ଆଗ୍ରହ ପ୍ରକାଶ କରୁ ନଥିବା ଜଣାପଡ଼ିଛି ।