ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସତକୋଶିଆ ଅଭୟାରଣ୍ୟକୁ ଆସିଥିବା ବାଘ ବଂଶ ବୃଦ୍ଧି ପାଇଁ ବାଘୁଣୀ ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରିଯିବ । ତାକୁ କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଘୋରେଲା କେନ୍ଦ୍ରରେ ରଖାଯିବ । ବାଘୁଣୀକୁ ରଖିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହେବା ପର୍ୟ୍ୟନ୍ତ ‘ସୁନ୍ଦରୀ’ର ଯତ୍ନ ନେବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।
୨୦୧୮ରେ ନଭେମ୍ବର ସାତକୋଶିଆ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ବୃଦ୍ଧି କରିବାକୁ ସ୍ୱତନ୍ତ୍ର ପ୍ରକଳ୍ପ କାର୍ୟ୍ୟକାରୀ କରାଯାଇଥିଲା । ମଧ୍ୟପ୍ରଦେଶରୁ ବାଘ ନନ୍ଦନ ଓ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା ।
ତେବେ ସାତକୋଶିଆରେ ବାଘର ମୃତ୍ୟୁ ଘଟିଥିବା ବେଳେ ‘ସୁନ୍ଦରୀ’ କୋର ଏରିଆକୁ ଗଲାନାହିଁ। ଅଭୟାରଣ୍ୟର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାଘୁଣୀ ଘୂରି ବୁଲିଲା। ଆଉ ସୁଯୋଗ ଦେଖି ଶିକାର ମଧ୍ୟ କଲା ।
ବର୍ତ୍ତମାନ ପରିସ୍ଥିତିରେ ଯଦି ବାଘୁଣୀ ସୁନ୍ଦରୀକୁ ମୁକ୍ତ ବିଚରଣ କରିବାକୁ ଦିଆଯାଏ ତେବେ ତାହା ଉଭୟ ସୁନ୍ଦରୀ ଓ ପ୍ରକଳ୍ପ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ସେବେଠାରୁ ସୁନ୍ଦରୀକୁ ଆବଦ୍ଧ ପରିବେଶ ମଧ୍ୟରେ ରଖାଯାଇଛି ।