ଘରଟିରେ ଆଜି ଗହଳି ଚହଳି ଲାଗି ରହିଥିଲା,ଅଭିନନ୍ଦନ ର ସୁଅ ଛୁଟୁଥିଲା। ସ୍ନେହୀ ,ମେଳାପୀ,ପରୋପକାରୀ ସ୍ୱପ୍ନା କିନ୍ତୁ ଅନ୍ୟମନସ୍କ ଥିଲା। ମନରେ ଢେଉଖେଳୁଥିଲା ବାହାଘର କଥା । ବାପା ଙ୍କ ପାଇଁ ସେ କଣ ବୋଝ ଥିଲା ଏତେ ଜଲଦି ତାର ବାହାଘର କରୁଥିଲେ। କଲେଜ ଦୂର ଥିବାରୁ ଦୁଇ ବର୍ଷ ହେଲା ଦଶମ ସାରି ଘରେ ଥିଲା ସ୍ୱପ୍ନା,ଏହି ଦୁଇ ବର୍ଷ ଟି ପକ୍କା ଘରଣୀ ହେବାର ତାଲିମ ଦେଉଥିଲା ମାଆ ।
ବାହାଘର କଥା ଶୁଣି ପାଦ ତଳେ ଲାଗୁନଥିଲା ବୋଉର। ଏତେ ଭଦ୍ର ମାର୍ଜିତ ପରିବାର, ଉଚ୍ଚଶିକ୍ଷିତ ବର ,ସର୍ବଗୁଣସମ୍ପନ୍ନ ଆଉ କଣ ଦରକାର। ଶେଷରେ ବାହାଘର ସରିଲା,ବହୁତ ଆଡମ୍ବର ରେ।ଧଳା ରଙ୍ଗର ଗୋଲାପ ଫୁଲ ସଜ୍ଜିତ ଗାଡ଼ିରେ ବସି ସ୍ୱପ୍ନା ତାର ଅସରନ୍ତି ସ୍ବପ୍ନ କୁ ସମାଧି ଦେଇ ଯାଉଥିଲା ଶାଶୂଘର।
ଅଧିକ ପାଠ ପଢିବା ସ୍ବପ୍ନ,ଚାକିରୀ କରିବା ସ୍ବପ୍ନ,ବୁଲିବା ସ୍ବପ୍ନ,ନୂଆ ନୂଆ ଜାଗା ଦେଖିବା ସ୍ବପ୍ନ ଓଃ ଆହୁରି କେତେ କଣ । ସବୁଥିରେ ପୁର୍ନଛେଦ ପଡିଥିଲା। ଏସବୁ ମନେ ପକାଇ ଧକେଇ ଧକେଇ କାନ୍ଦୁଥିଲା ସ୍ୱପ୍ନା। ଶାଶୂ ଘର ପାଖେଇବାକୁ କିଛି ସମୟ ବାକି ସ୍ୱାମୀ ହାତକୁ ବଢାଇଦେଲେ ଗୋଟେ ଧଳା ରୁମାଲ।”ନିଅ ମୁଁହ ପୋଛିଦିଅ ନହେଲେ ସବୁ କହିବେ ଏଇ ନାକ କାନ୍ଦୁରି କି ବୋହୁ କରି ଆଣିଛନ୍ତି।”ହସି ଉଠିଲେ ଡ୍ରାଇଭର, ସ୍ୱାମୀ ଆଉ ଦିଅର । ଦୁଃଖ ଯେମିତି ଦୁଇଗୁଣ ବଢିଗଲା। ତଥାପି ରୁମାଲଟିରେ ଲୁହ ପୋଛିଦେଲା ସ୍ୱପ୍ନା,ଧଳା ରୁମାଲ ରେ ଲାଗିଗଲା ସ୍ୱପ୍ନା ଆଖିର କଜ୍ଜଳ ମିଶା ଲୁହ । ଫେରେଇବା ପୂର୍ବରୁ ସ୍ୱପ୍ନା କହିଲା “ମୁଁ ସଫା କରି ଦେଇଦେବି କଜ୍ଜଳ ଲାଗିଗଲା।”କିନ୍ତୁ ସେ ହସି ହସି ରୁମାଲ ଟି ନେଇ ପକେଟ ରେ ରଖିଦେଲେ ଯେମିତି ସେଇଟା ରୁମାଲ ନୁଁହ ଗୋଟେ ମୂଲ୍ୟବାନ ଉପହାର।
ନଣନ୍ଦ ରାଣୀ ମୋର ଏରୁଣ୍ଡି ଉପରେ ବସି ନଣନ୍ଦ ପୁଟୁkò ମାଗୁଥିଲେ, ସୁନା କାନର ଦେଖି କହିଉଠିଲେ ଏଇଟା ସୁନା ନା ପିତଳ । ଘର ର ଏରୁଣ୍ଡି ବନ୍ଧ ନ ମାଡୁଣୁ ଏହି ପ୍ରଶ୍ନ ରେ ପୁଣି କୋହ ଉଠିଲା ମନରେ। ହଠାତ ମୋର ଭୟଭାବ ଦେଖି ସମସ୍ତେ ହସିଉଠିଲେ ,”ଆରେ ଭାଉଜ ଏଇଟା ଥଟା ଥିଲା,ସତ ଭାବିଲକି ?”
ଅଜଣା ଜାଗା ରେ ମତେ ଲାଗୁଥିଲା ଯେମିତି ମୁଁ ଏକ ଆସାମୀ ,ଥର କୁ ଥର ଆସି ଜଣେ ଲେଖା ଜେରା କରୁଥାନ୍ତି। କରଣ ପରିବାର ରେ ଚଉଠି ପୂର୍ବରୁ ସ୍ୱାମୀ ସ୍ତ୍ରୀ ଦେଖା କରନ୍ତିନି। ଘରକୁ ପର କରିବା ଦୁଃଖ ରେ ଅନ୍ନ ରୁଚୁ ନଥାଏ ମୋତେ,ନଣନ୍ଦ ଦିଅର ମାନେ କହୁଥାନ୍ତି,”ଏବେଠୁ ଏତେ ଅଧର୍ଯ୍ୟ ହେଲଣି,ଖାଦ୍ୟ ବି ରୁଚୁନି ତୁମକୁ।”
ମନରେ ରାଗ ଥିଲେ ବି ଉପରେ ମୁରୁକି ହସିବାକୁ ହେଉଥିଲା।
ଚଉଠି ରାତିରେ ସ୍ୱାମୀ ଏକ ରୂପା ଫରୁଆ ରୁ ଟିକେ ସିନ୍ଦୁର ମଥାରେ ଆଉ ସିଂଥି ରେ ପିନ୍ଧାଇ ଦେଇଥିଲେ ହାତର ଚୁଡି କୁ ଦେଖି କହୁଥିଲେ ,”ତୁମେ ବହୁତ ସୁନ୍ଦର।”ଏଇ ସିନ୍ଦୁର ତୁମ କୁ ସବୁଦିନ ମନେ ପକାଇବ ମୁଁ ତୁମ ପାଖରେ ଅଛି।ସେଇ ତିନିପଦ କଥା ରେ କି ଯାଦୁ ଥିଲା କେଜାଣି ସ୍ଵପ୍ନା ର ମନରୁ ସବୁ ସଂଶୟ,ଭୟ ଦୂର ହୋଇ ଯାଇଥିଲା। କିଛି ନକହିଲେ ବି ସ୍ୱାମୀ ପଢୁଥିଲେ ତାର ନିରବ ସମ୍ମତି।
ପରଦିନ ସକାଳେ ସମସ୍ତଙ୍କ ପ୍ରଶ୍ନ ଚଉଠି ରାତି ର ଉପହାର କଣ ଥିଲା। ସ୍ୱପ୍ନା ହସିଥିଲା ଖାଲି। ବିବାହ ର ଦିନ କେଇଟା ରେ ସ୍ୱାମୀ ଚାଲିଗଲେ ନିଜ କର୍ମସ୍ଥଳୀ କୁ। ଶନିବାର ଆସନ୍ତି ଆଉ ସୋମବାର ଚାଲିଯାନ୍ତି। ଅନ୍ୟଦିନେ ସାହିପଡିସା ନଣନ୍ଦ ଙ୍କ ଗହଳି ଲାଗେ ସ୍ୱପ୍ନା ପାଖେ ବୁଣାବୁଣି ଶିଖିବାକୁ । କିନ୍ତୁ ଏହି ଦୁଇଦିନ ଶାଶୂ ବାହାର ରୁ ବିଦା କରିଦିଅନ୍ତି। ବୁଝିପାରେନି ସ୍ୱପ୍ନା ସେମାନେ ନ ଆସିବା କାରଣ ପରଦିନ ସେମାନେ ଆସି ଥଟ୍ଟା କରନ୍ତି,”ବଡ ଚାଲାକ ତୁମେ ଶାଶୂ କୁ ଯଗେଇ ଦିନବେଳ ରେ ସ୍ୱାମୀ ପ୍ରେମ ନାଈଁ।”
ଶାଶୂ ସେଦିନ ମୁଁହ ସୁଖେଇ କହିଲେ ,”ମଧୁର ଇଛା ତୁ ପାଠ ପଢେ ,ତୁ କଣ ପାରିବୁନି।” ଶାଶୂ ଙ୍କ ପ୍ରେରଣା ଆଉ ସ୍ୱାମୀ ଙ୍କ ଉର୍ଚ୍ଛାହ ଯୋଗୁଁ ସେ ପଢିଥିଲା ଆଉ ଆଜି ଶିକ୍ଷୟତ୍ରୀ ଭାବେ ବେଶ ପରିଚିତ ଚେହେରା । ଅବସର କୁ ଆଉ ତିନି ବର୍ଷ ଅଛି। ଝିଅ ,ପୁଅ ଦୁହେଁ ବାହା ହୋଇଗଲେଣି। ଦୁହିଁଙ୍କ ଇଛା ରେ ସେମାନଙ୍କ ପାଇଁ ସତପାତ୍ର ଖୋଜିଥିଲେ ସ୍ୱପ୍ନା ଓ ତା ସ୍ବାମୀ। ଆଜି ୪୦ତମ ବିବାହବାର୍ଷିକ ।
ପୁଅ ଝିଅ ସବୁ ନିଜ ପୁଅ ଝିଅଙ୍କୁ ନେଇ ଆସିଥାନ୍ତି। ମନ୍ଦିର ଯିବାକୁ ସଜ୍ଜ ହଉଥାନ୍ତି ସ୍ୱପ୍ନା। ସ୍ୱାମୀ ଅବସର ପରେ ଘରେ ୪୦ ବର୍ଷ ର ବୈବାହିକ ଜୀବନ ରେ ଅନେକ ବର୍ଷ ଏକୁଟିଆ କଟିଛି ଦୁଇଜଣଙ୍କ ଆଉ ସ୍ୱପ୍ନା ବି ତିନିବର୍ଷ ପରେ ଅବସର ନେବେ । ସିନ୍ଦୁର ଟୋପାଟିକୁ ହଳଦୀ ରେ ଅତି ସୁନ୍ଦର ଭାବେ ଲଗାନ୍ତି ସ୍ୱପ୍ନା,ସହକର୍ମୀ ମାନେ ବି ବେଳେ ବେଳେ ପଚାରନ୍ତି ଏତେ ସୁନ୍ଦର ଭାବେ କିଭଳି ଆପଣ ଲଗାନ୍ତି ଆଉ ସକାଳୁ ସଞ୍ଜ କିପରି ସିନ୍ଦୁର ଠିକ ସେମିତି ରୁହେ। କିନ୍ତୁ ସ୍ୱପ୍ନା ଉତ୍ତର ରେ କେବଳ ମୁରୁକି ହସିଥାନ୍ତି । ଯେମିତି ଚଉଠି ରାତି ପରଦିନ ଲାଜେଇ ଯାଇଥିଲେ ଜା ନଣନ୍ଦ ଙ୍କ ଆଗେ ।ଏଇ ସିନ୍ଦୁର ପରା ଚଉଠିରାତି ଉପହାର ।୪୦ବର୍ଷ ଧରି ରୂପା ଫରୁଆ ଟି ସେଇମିତି ଅଛି ତାଙ୍କ ସହ।
ସନ୍ଧ୍ୟା ରେ ସରପ୍ରାଇଜ ପାର୍ଟି ରଖିଥିଲେ ପୁଅ ଆଉ ଝିଅ ।ଆନନ୍ଦମୟ ପରିବେଶ ରେ ସ୍ୱାମୀ ବଢ଼େଇଦେଲେ ସ୍ୱପ୍ନା ହାତକୁ ଗିଫ୍ଟବକ୍ସ ଟିଏ। ଗିଫ୍ଟବକ୍ସ ଟିକୁ ଖୋଲିବାକୁ ସମସ୍ତେ ବାଧ୍ୟ କଲେ ସ୍ୱପ୍ନା କୁ,ଆଉ ସ୍ୱପ୍ନା ଗିଫ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ”। ଭିତରେ ଥିଲା ରୁମାଲ ଟିଏ, ଧଳା ରଙ୍ଗର ,ବହୁତ ପୁରୁଣା,୪୦ବର୍ଷ ପୁରୁଣା,ଲୁହ ମିଶା କଜ୍ଜଳ ଠାଏ ଠାଏ ଲାଗିଥିଲା।
ପୁଣି ସ୍ୱପ୍ନା ଆଖିରୁ ଲୁହ ପଡୁଥିଲା ରୁମାଲ ଟି ଉପରେ କିନ୍ତୁ ଫରକ ଏତିକି ଥିଲା,”୪୦ ବର୍ଷ ତଳେ ନିଜ ବାପଘର କୁ ଛାଡି ଆସିବାର ଦୁଃଖର ଲୁହ ଥିଲା ଆଉ ଏବେ ଦାମ୍ପତ୍ୟ ଜୀବନ ରେ ସ୍ୱାମୀ ଓ ଶାଶୂଘରୁ ପାଇଥିବା ଅନାବିଳ ସ୍ନେହ ପ୍ରେମ ପାଇଁ ଆନନ୍ଦାଶ୍ରୁ ।
ବିଦ୍ୟୁତଲତା ମିଶ୍ର
ଦୁର୍ଗାଦେବୀ ଷ୍ଟ୍ରିଟ,ଗଂଜାମ