ପୁରୀ(ଏଟିଆର ବ୍ୟୁରୋ): ଚାଲିଛି ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଅର୍ଥାତ ପଞ୍ଚୁକର ତୃତୀୟ ଦିନ । ପଞ୍ଚୁକ ଅବସରରେ ମହାପ୍ରଭୁଙ୍କର ବିଭିନ୍ନ ବେଶ ଓ ସ୍ୱତନ୍ତ୍ର ରୀତିନୀତି କରାଯାଇଥାଏ । । ଆଜି ଶ୍ରୀମନ୍ଦିରରେ ଠାକୁର ମାନଙ୍କର ଆଡକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ । ସକାଳୁ ସକାଳୁ ଶ୍ରୀଜୀଉଙ୍କ ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ ।
ଏହି ବେଶକୁ ପୁଷ୍ପାଳକ ସେବକ ମାନେ ସମ୍ପାଦନ କରିଥାନ୍ତି । ଏହି ବେଶରେ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଇଥାଏ । ଏହି ଚୂଳ ଦୁଇଟି ସୋଲ, ବେତ,ଜମ୍ବୁର, କନା, କଇଁଥ ଆଦିରେ ତିଆରି ହୋଇଥାଏ । ଏହି ବେଶରେ ମହାପ୍ରଭୁମାନଙ୍କ ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ମା’ ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକ ଉପରେ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖୋସା ଯାଇଥାଏ । ଏହା ସହ ପୂର୍ବ ଦିନ ପରି ସ୍ୱର୍ଣ୍ଣ ଅଳଙ୍କାର, ହଳ, ମୂଷଳ, ଚକ୍ର, ଶଙ୍ଖ ଓ ପାଟ ବସ୍ତ୍ର ଆଦିରେ ଠାକୁର ମାନଙ୍କ ଆଡକିଆ ବେଶରେ ଭୂଷିତ କରାଯାଇଥାଏ ।
ଏହି ବେଶ ଅତିବଡୀ ସମ୍ପ୍ରଦାୟର ଅତି ପ୍ରିୟ ବେଶ ଅଟେ । ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ, ଭକ୍ତ ଓ ମହନ୍ତ ମାନେ ଏହି ବେଶ ଦର୍ଶନ କରିବାକୁ ଆସିଥାନ୍ତି । ସୂଚନା ଯୋଗ୍ୟ ଥାଉକି ଏକାଦଶୀରେ ଠିଆଠିଆ ବେଶରେ ଶ୍ରୀଜୀଉ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ, ଦ୍ୱାଦଶୀରେ ବାଙ୍କୁଚୁଡା ବେଶ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ, ସେହିପରି ଆଜି ତ୍ରୟୋଦଶୀ ତିଥିରେ ଅତିବଡୀ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ, ଶେଷ ଦିନ ଅର୍ଥାତ ପୂର୍ଣ୍ଣମାରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ସେଥିପାଇଁ ପୁରୀରେ ଭକ୍ତଙ୍କର ଗହଳି ଧୀରେ ଧୀରେ ବଢିବାରେ ଲାଗିଲାଣି ।