ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଅନୁଗୁଳ ବଂରପାଳ ଥାନା ଅଧିନରେ ଥିବା ମହିଧରପୁର ଫାଣ୍ଡିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଫାଣ୍ଡି ଦାୟିତ୍ୱରେ ଥିବା ଜଣେ ଏସଆଇ ବାବୁଙ୍କ ଛତୁଆ ଖିଆ ପ୍ରେମ କଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଆପଣ ଭାବୁଥିବେ ଛତୁଆ ଓ ଏସଆଇଙ୍କ ଏମିତି କ’ଣ କାହାଣି । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଛତୁଆ ପାଇଁ ହିଁ ସବୁ ନାଟ ଲାଗିଛି ।
ଅଭିଯୋଗ ହୋଇଛି ଏସଆଇ ବାବୁ ଜଣଙ୍କ ଫାଣ୍ଡିରେ ଥିବା ଜଣେ ହୋମଗାର୍ଡଙ୍କୁ ଛତୁଆ ଆଣିବାକୁ କହିଥିଲେ । ବଡ଼ବାବୁଙ୍କ କଥା ମାନି ହୋମଗାର୍ଡ ଜଣଙ୍କ ଛତୁଆ ବି ଆଣିଥିଲେ । ହେଲେ ଛତୁଆ ଗୋଳାଇ ନଥିବା କାରଣରୁ ଏସଆଇ ବାବୁ ରାଗିପାଚି ଲାଲ ପଡି କାଳେ ଗାଳିମନ୍ଦ କରିଥିଲେ । ସବୁଠୁ ବଡ଼ କଥା ହେଉଛି ଦୂରରେ ରହି ହୋମଗାର୍ଡଙ୍କ ପୁଅ ଜଣଙ୍କ ଏସବୁ ଦେଖିଥିଲେ । ବାପାଙ୍କୁ ଏଭଳି କାମ କରିବାକୁ କହୁଥିବା ଏସଆଇ ବାବୁଙ୍କ କଥା ତାଙ୍କୁ ହଜମ ହୋଇନଥିଲା । ବ୍ୟକ୍ତିଗତ କାମରେ କାହିଁକି ବାପାଙ୍କୁ ଲଗାଯାଉଛି ବୋଲି ପ୍ରଶ୍ନ କରିଥିଲେ ହୋମଗାର୍ଡଙ୍କ ପୁଅ । ହେଲେ ଏସଆଇ ବାବୁ ଯଦିଓ କ୍ୟାମେରା ଦେଖି ଚୁପ ରହିଥିଲେ କିନ୍ତୁ କଥା ଭିତରେ ମା’ କ’ଣ ଛତୁଆ ଗୋଳାଇ ଦିଏ ନାହିଁ ବୋଲି କହିବା କଥା ପ୍ରମାଣ କରୁଛି ଉଠୁଥିବା ଅଭିଯୋଗର ସତ୍ୟତା କେଉଁଠି ନା’ କେଉଁଠି ଲୁଚି ରହିଛି ।
ଏ ସମ୍ପର୍କିତ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସେପଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏନେଇ ଆମେ ଉକ୍ତ ଏସଆଇଙ୍କୁ ଯୋଗାଯୋଗ କରିଥିଲୁ । ହେଲେ ସେ ଏନେଇ ମୁହଁ ନଖୋଲି ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ କହିଥିଲେ । ପରେ ଆମେ ବଂରପାଳ ଥାନା ଅଧିକାରୀଙ୍କୁ ୯୪୩୮୯୧୬୪୩୪ରେ ଯୋଗାଯୋଗ କରିଥିଲୁ । ହେଲେ ଆଶ୍ଚର୍ଯ୍ୟର କଥା ସାର ଫୋନ ଉଠାଇଥିଲେ ବି ଛତୁଆ କଥା ଶୁଣି ଅଚାନକ୍ ଫୋନ୍ କାଟିଦେଇଥିଲେ । ଏହାପରେ ଯେତେଥର ଆମେ ଚେଷ୍ଟା କରିଥିଲୁ ସାର ଆଉ ଫୋନ୍ ଧରିନଥିଲେ । ପରେ ଆମେ ଥାନା ଲ୍ୟାଣ୍ଡଲାଇନ୍ ନମ୍ବର ୦୬୭୬୪୨୨୯୨୬୦ରେ ମଧ୍ୟ ଯୋଗାଯୋଗ କରିଥିଲେ ବି ଫୋନ୍ ଉଠାଇଥିବା ଅଫିସର ଆଇଆଇସିଙ୍କ ନମ୍ବର ଜାଣିନଥିବା କହି ଆମକୁ ପାଠ ପଢ଼ାଇଥିଲେ ।
ବଂରପାଳ ପୁଲିସର ଏଭଳି ଲୁଚକାଳୀ ଖେଳ ପ୍ରମାଣ କରୁଛି ଘଟଣାର ସତ୍ୟାସତ୍ୟ ରହିଛି । ଯାହାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି । ଏନେଇ ବରିଷ୍ଠ ଅଧିକାରୀ ଧ୍ୟାନ ଦେଲେ ସତ ସାମ୍ନାକୁ ଆସିବ । ସେପଟେ ବଡ଼ କଥା ହେଉଛି ଭିଡ଼ିଓ ରେକର୍ଡିଂ କରିଥିବା ଯୁବକଙ୍କୁ ଥାନାକୁ ଡାକି ମାଡ଼ ମାରି ଓ ପୁଲିସ ଭୟ ଦେଖାଇ ଏକ କାଗଜରେ ଏଭଳି କିଛି ଘଟିନଥିବା ଲେଖା ପୁଲିସ ବାବୁ ରଖିଥିବା ଶୁଣିବାକୁ ମିଳୁଛି ।
ଯଦି ଏହା ସତ ହୋଇଥାଏ ତେବେ ପୁଲିସ ନିଜ ଦୋଷ ଲୁଚାଇବାକୁ କେଉଁ ସ୍ତରକୁ ଯାଇପାରେ ତାହା ଏଥିରୁ ସହଜେ ଅନୁମେୟ । ଆଶା କରିବୁ ଏହି ଘଟଣାରେ ବରିଷ୍ଠ ଅଧିକାରୀ ଧ୍ୟାନ ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ସୂଚନାଯୋଗ୍ୟ, ନିୟମ କହୁଛି କୌଣସି ତଳିଆ କର୍ମଚାରୀଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଇପାରିବେ ନାହିଁ କୌଣସି ବରିଷ୍ଠ ଅଧିକାରୀ । ହେଲେ ଅନୁଗୁଳ ପୁଲିସ ପୂରା ବେଫିକର । ବ୍ୟୁରୋ ରିପୋର୍ଟ ଏଟିଆର ନ୍ୟୁଜ୍