ଭୁବନେଶ୍ୱର(ଏଟିଆର ବ୍ୟୁରୋ): ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ଯେତେ ଲିଭାଇଲେ ବି ଲିଭୁନି ଶିମିଳିପାଳ ଜଙ୍ଗଲ । ସପ୍ତାହରୁ ଅଧ୍ୟକ ହେଲାଣି ଜଳୁଛି ଶିମିଳିପାଳ ଜଙ୍ଗଲ । ଏନେଇ ଚାରିଆଡୁ ଉଦବେଗ ପ୍ରକାଶ ପାଇଥିବା ବେଳେ ଏବେ ଏହି ନିଆଁ ଅଧାରୁ ଅଧିକ ଓଡିଶାର ଜଙ୍ଗଲକୁ ବ୍ୟାପିଲାଣି ।
କିଛିଦିନ ଧରି ତିନିକୋଶିଆ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ନିଆଁ ଲାଗୁଥିବା ଦେଖାଯାଇଛି।ସଜନାଗଡ଼ ,ଭାଲୁକାଶୁଣି,ନରଣପୁର,ତେରଲଡ଼ିହି, ବୈଷ୍ଣବବନ୍ଦ ଅଞ୍ଚଳରେ ଏକର ଏକର ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି।କେଉଁଠି ୭ଦିନ ତ ଆଉ କେଉଁଠି ଗଲା ୨୪ ଘଣ୍ଟାଭିତରେ ନିଆଁ ଲାଗିଛି । ଯେଉଁଥିରେ ଏକର ଏକର ସବୁଜିମା ସାଙ୍ଗକୁ ବହୁ ଔଷଧୀୟ ବୃକ୍ଷ ମଧ୍ୟ ଜଳି ପାଉଁଶ ହୋଇଯାଇଛି ।
ହାତୀ,ଭାଲୁ, ବାଘ, ନିଆଁ ଭୟରେ ଗାଁ ମୁହାଁ ହେଉଥିବା ବେଳେ ଛୋଟ ଛୋଟ ସରୀସୃପ ପ୍ରାଣୀ, ଠେକୁଆ , ବିଲୁଆ , ବେଙ୍ଗ,ଓ ଛୋଟ ଛୋଟ ଜୀବଜନ୍ତୁ ନିଆଁରେ ପୋଡି ପାଉଁଶ ହୋଇଯାଇଥିବାର କୁହାଯାଇଛି ।ନିଆଁ ପ୍ରକୋପରେ ପାଖ ଗାଁରେ ଝାଞ୍ଜି ପବନରେ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିବା ବେଳେ ନିଆଁ ଝୁଲ ପଡି ଚାଳ ଘରେ ନିଆଁ ଲାଗିବା ନେଇ ଆଶଙ୍କା ଘାରିଛି ।
ଯେଉଁଥିରେ ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ ସ୍ଥିତ ଜଙ୍ଗଲ ବି ରହିଛି । ଖଣ୍ଡଗିରିରେ ଲାଗିଥିବା ନିଆଁରେ କୌଣସି ଜନଜୀବନ କ୍ଷତି ହୋଇ ନ ଥିଲେ ମଧ୍ୟ ପ୍ରାୟ ଗୋଟିଏ ଏକର ଜଙ୍ଗଲ ଜଳି ଯାଇଥିବା ପ୍ରାରମ୍ଭିକ ସୂଚନା ମିଳିଛି । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉଦ୍ୟମ ଫଳରେ ସନ୍ଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି ।
ଓଡ଼ିଶାରେ ଜଙ୍ଗଲ ଜଳୁଛି ତାହା ନୁହେଁ ଦେଶର ଅଧାରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶସିତ ଅଞ୍ଚଳର ଜଙ୍ଗଲ ବନାଗ୍ନି ଦ୍ୱାରା ପ୍ରଭାବିତ ହୋଇଛି । ଦେଶର ୮୮୬ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି । ଏଥିରେ ଓଡ଼ିଶାରେ ସର୍ବାଧିକ ୨୩୩ଟି ସ୍ଥାନ ରହିଥିବା ବେଳେ ତେଲେଙ୍ଗାନାରେ ୧୨୬, ମଧ୍ୟପ୍ରଦେଶରେ ୧୦୭, ଆନ୍ଧ୍ରପ୍ରଦେଶରେ ୭୮, ମହାରାଷ୍ଟ୍ରର ୭୬, ଛତିଗଡ଼ରେ ୭୪, ଝାଡ଼ଖଣ୍ଡରେ ୪୫, ଟି ସ୍ଥାନ ରହିଛି ।