ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠୁ ପ୍ଲାଷ୍ଟିକକୁ ନାଁ । ଆଉ ହାତରେ ଧରି ହେବନି ଜରି ବ୍ୟାଗ । ଧରିଲେ ଗଣିବାକୁ ପଡିବ ଜରିମାନା ।ଆଜି ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବା “ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ” ବ୍ୟବହାରକ୍ୁ ବ୍ୟାନ କରାଯାଇଛି । ଦେଶବ୍ୟାପି ‘ସ୍ୱଚ୍ଛ ଭାରତ ମିଶନ’ ପ୍ରଚାରପ୍ରସାର ଚାଲିଥିବାବେଳେ ରାଜ୍ୟରେ ପ୍ଲାଷ୍ଟିକ ସମ୍ପୂର୍ଣ ରୂପେ ଆଜିଠାରୁ ବ୍ୟବହାର ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବ୍ୟକ୍ତି ପ୍ଲାଷ୍ଟିକ ପଲିଥିନ୍ , ପ୍ଲାଷ୍ଟିକ ନିମିତ ଚାମଚ୍, କପ୍, ପ୍ଳେଟ୍, ଗ୍ଲାସ, ପାଣି ପାଉଚ୍ ଆଦି ବ୍ୟବହାର କରିପାରିବେନାହିଁ । ଯଦି ଏହାକୁ କେହି ବ୍ୟବହାର କରୁଥିବାର ଧରାପଡିଲେ ତେବେ ଲକ୍ଷେ ଟଙ୍କା ଜୋରିମାନ ସହ ୫ବର୍ଷ ପର୍ଯ୍ୟନ୍ତ ଯିବାକୁ ପଡିବ ଜେଲ ।
ତେବେ କ୍ଷୀର ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟବହୃତ ସିିରିଞ୍ଜ, ମେଡିକାଲ ଇଷ୍ଟ୍ରୁମେଣ୍ଟ ଓ ଅନ୍ୟ ସାମଗ୍ରୀ ପାଇଁ ଏହି କଟକଣା ଲାଗୁ ହେବନାହଁ ବୋଲି ପରିବେଶ ବିଭାଗ ନିର୍ଦ୍ଦେଶକ କେ. ମୁରୁଗେସନ କହିଛନ୍ତି । ୫୦ ମାଇକ୍ରନରୁ କମ ପଲିଥିନକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ପୌରସଂସ୍ଥାର ଅଧିକାରୀ ମାନେ ଏନେଇ ଅଧିକ ଯତ୍ନଶୀଳ ହେବାକୁ ନିର୍ଦେଶ ଦିଆଯାଇଛି । ପଲିଥିନ ବ୍ୟବହାରରେ ଅଙ୍କୁଶ ଲଗାଇବା ପାଇଁ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ଗତଥର ଗାନ୍ଧୀ ଜୟନ୍ତୀ ସମୟରେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏମିତି କଡା ନିୟମ ଲାଗୁ କରାଯାଇଥିଲା ମାତ୍ର ପରେ ଏହାର ସେମିତି କିଛି ବିଶେଷ ପ୍ରଭାବ ଦେଖିବାକୁ ମିଳିଲା ନାହିଁ । ତେବେ ଏବେ ଦେଖିବା ବାକି ରହିଲା ଆଜିଠାରୁ ଲାଗୁ ହୋଇଥିବା ଏନେଇ ନିୟମ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହୁଛି ।