ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରତିବର୍ଷ ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀକୁ ବିପଣନ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶିର ସରସ ମେଳା ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ଜାନୁଆରୀ ୪ ତାରିଖ ଦିନ ଠାରୁ ଶିଶିର ସରସ ମେଳା ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ପକ୍ଷରୁ ଏହାକୁ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କରାଯିବ । ଏହି ଜାତୀୟସ୍ତରୀୟ ମେଳାରେ ଓଡିଶା ସମେତ ୨୫ ରାଜ୍ୟର କାରିଗର ଅଂଶଗ୍ରହଣ କରିବେ । ଚଳିତବର୍ଷ ମୋଟ ୩୦୦ ଷ୍ଟଲରେ ଏକ ମିନି ଇଣ୍ଟିଆ ବଜାର ସୃଷ୍ଟି କରାଯିବ ।
ଏହି ଷ୍ଟଲ ମାନଙ୍କରେ ଉତ୍ତର-ପୂର୍ବ ରାଜ୍ୟର ବାଉଁଶ ଶିଳ୍ପ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁର ହସ୍ତତନ୍ତ, ମଧ୍ୟପ୍ରଦେଶ ଓ ଛତିଶଗଡର ଟସର କପଡା ଓ ଲୁଗା, ଜମ୍ମୁ-କାଶ୍ମୀରର ଶୀତ ପୋଷାକ ପ୍ରମୁଖ ମେଳାର ମୁଖ୍ୟ ଆକର୍ଷଣ ରହିବ । ସେହିଭଳି ଓଡିଶାର ୩୦ ଟି ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମେଳାରେ ସାମିଲ ହେବ । ମାଟିରେ ତିଆରି ଜିନିଷ, ଜଙ୍ଗଲଜାତ ଦ୍ରବ୍ୟ, ବିଭିନ୍ନ ପ୍ରକାର ମସଲା, ଓଡିଶାର ହସ୍ତତନ୍ତ ତିଆରି ଜିନିଷ ଆଦି ଏହି ମେଳାରେ ଉପଲବ୍ଧ ହେବ । ଚଳିତ ବର୍ଷ ଏହି ମେଳାରେ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯିବ । ୧୨ଟି ଷ୍ଟଲରେ ବାହାର ରାଜ୍ୟର ଖାଦ୍ୟ ସହ ପାମ୍ପରିକ ଓଡିଆ ଖାଦ୍ୟ ଉପଲବ୍ଧ ହେବ । ଏହା ସହ ପ୍ରତି ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଏନେଇ ଏସପିଆରସି ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।