ମୟୁରଭଞ୍ଜ ( ଏଟିଆର ବ୍ୟୁରୋ): ପାର୍ସଲରୁ ବାହାରିଲା ନାଗ ସାପ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ । ସୂଚନା ଅନୁସାରେ ରାଇରଙ୍ଗପୁର ସହରର ୫ ନଂ ୱାର୍ଡରେ ମୁଥକୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିବା ଏକ ପାର୍ସଲରେ ଗୋଟେ ୬ ଫୁଟ ଲମ୍ଭର ଏକ ନାଗ ସାପ ଆସିଥିବା ଜଣା ପଡିଛି । ମୁଥକୁମାର ଜଣେ ପାଇପ ବ୍ୟବସାୟୀ ହୋଇଥିବାରୁ ତାଙ୍କ ପାଖକୁ ବିଭିନ୍ନ ସମୟରେ ବିଭିନ୍ନ କମ୍ପାନୀରୁ ପାର୍ସଲ ଆସିଥାଏ ।
ଗତକାଲି ମଧ୍ୟ ଅଗ୍ରୱାଲ ପ୍ୟାକର୍ସ ଆଣ୍ଡ ମୁଭର୍ସ ନାମକ ଏକ କୋରିଅରରୁ ଆସିଥିଲା ଏହି ପାର୍ସଲ । ମାତ୍ର ପାର୍ସଲଟି ଯେତେବେଳେ ସେ ଖୋଲନ୍ତି ସେଥିରେ ଏକ ୬ ଫୁଟ ଲମ୍ଭର ଏକ ନାଗ ସାପ ଦେଖିବାକୁ ପାଇଥିଲେ । ସାପ ଟିକୁ ଦେଖି ପ୍ରଥମେ ପରିବାର ଲୋକେ ଭୟଭୀତ ହୋଇ ଯାଇଥିଲେ । ପରେ ସେ ରେଂଜର ଅଶୋକ ଦାସଙ୍କୁ ସୂଚନା ଦେଇଥିଲେ । ପରେଷ୍ଟ ଗାର୍ଡ ଆସି ସାପଟିକୁ ଉଦ୍ଧାର କରିଥିଲେ ।
ସାପଟିକୁ କୁଚେଇବୁଢୀ ଜଙ୍ଗଲରେ ଛଡା ଯାଇଥିବା ସୂଚନା ମଳିଛି । ସୂଚନାଯୋଗ୍ୟ ପୁର୍ବରୁ କୋରିଅରେ ଆସୁଥିବା ପାର୍ସଲରେ ମଗାଯାଇଥିବା ଜିନିଷ ବଦଳରେ ଅନ୍ୟ ଜିନିଷ ଆସିବା ନଜର ରହିଛି । ମାତ୍ର ପାର୍ସଲରେ ସାପ ଆସିବା ଏହା ପ୍ରଥମ । ତେବେ ସାପଟି କିଭଳି ପାର୍ସଲ ଭିତରକୁ ଆସିଲା ତାହା ଏଯାବତ ଜଣା ପଡି ନାହିଁ ।