ଭୁବନେଶ୍ୱର(ଏଟିଆର ବ୍ୟୁରୋ):୨୦୧୪ ମସିହାରେ ସୁପ୍ରିମ କୋର୍ଟ ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ତୃତୀୟଲିଙ୍ଗୀର ମାନ୍ୟତା ଦେଲେ । ସେମାନେ କିଭଳି ସାମ୍ବିଧାନିକ ମୈଳିକ ଅଧିକାର ପାଇପାରିବେ ସେନେଇ ମଧ୍ୟ ଉଲ୍ଲେଖ କଲେ । ହେଲେ ବାସ୍ତବରେ ଏହା କେତେ ଦୂର ଗ୍ରହଣୀୟ ହୋଇଛି ତା ଏବେ ବି ପ୍ରଶ୍ନ ହୋଇ ରହିଛି । ପରିମଳ ବ୍ୟବସ୍ଥାଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ଯୋଜନାରେ ଏବେବି ଅସମାନତା ଦେଖିବାକୁ ମିଳୁଛି । ବ୍ୟବସାୟୀକ ପ୍ରତିଷ୍ଠାନରେ ଥିବା ଶୌଚାଳୟ ହେଉ ଅବା ସରକାରୀ ଶୌଚାଳୟ କେଉଁଠି ବି ତୃତୀୟଲିଙ୍ଗୀ ସଂଙ୍କେତିକ ଚିହ୍ନ ଦିଆଯାଉ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କିନ୍ନର ସମାଜ ।
ବିଶ୍ୱ ଶୌଚାଳୟ ଦିବସ ୨୦୧୯କୁ ନଜରରେ ରଖି ସଖା ପକ୍ଷରୁ ଭୁବନେଶ୍ୱରରେ ହୋଇଥିବା ଏକ ସାମ୍ବାଦିକ ସମ୍ମୀଳନୀରେ ଏଭଳି କିଛି ପ୍ରତିକ୍ରିୟା ପ୍ରକାଶ ପାଇଛି । ସଖାର ପ୍ରତିଷ୍ଠାତା ମୀରା ପରିଡା ସୂଚନା ଦେଇ କହିଛନ୍ତି ୨୦୧୪ ମସିହାରେ ସର୍ବୋଚ୍ଚ ନ୍ୟାୟଳୟ ଦେଇଥିବା ରାୟ ଉଲ୍ଲେଖନୀୟ ପଦକ୍ଷେପ । ମାତ୍ର ଏହା କେବଳ ଆଇନରେ ପରିବର୍ତ୍ତନ ନହେଇ ଆନସିକତାରେ ବି ପରିବର୍ତ୍ତନ ହେବା ଦରକାର । ସେହିଭଳି ମେଘ୍ନାସାହୁ କହିଛନ୍ତି ବର୍ତ୍ତମାନ ଏ ନେଇ ଉଚିତ ସମୟ ଆସିଛି । ଆମେ ସମସ୍ତେ ସଂଗଠିତ ହେବା ଏବଂ ଆମର ହକ ଦାବି କରିବା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଧନା ମିଶ୍ର, ସିଏଫଆର କର୍ମଚାରୀ ସମିର ଦାସ, ସୌମ୍ୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।