ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶେଷ ହୋଇଛି ବର୍ଷର ଶେଷ ସୂର୍ଯ୍ୟପରାଗ । ଓଡିଶାରେ ଦେଖିବାକୁ ମିଳିଛି ଆଶିଂକ ସୂର୍ଯ୍ୟପରାଗ । ସକାଳୁ ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ସହ ପାଗ ମଧ୍ୟ କୋହଲା ରହିଥିଲା । ବର୍ଷର ଶେଷ ସୂର୍ଯ୍ୟପରାଗ ହୋଇଥିବାରୁ ଏହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭୁବନେଶ୍ୱର ପ୍ଲାନେଟାରିୟମ୍ ଓ ବୁର୍ଲା ଅବଦୁଲ କଲାମ ପ୍ଲାନେଟୋରିୟମରେ ଏହି ବିରଳ ସୂର୍ଯ୍ୟପରାଗ ଦେଖିବା ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା । ଏହି ବିରଳ ସୂର୍ଯ୍ୟପରାଗ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ହେଲେ ପାଗ କୋହଲା ରହିବା ଥିବା ହେତୁ ସୂର୍ଯ୍ୟପରାଗ ଭଲଭାବରେ ଦେଖାଯାଇନଥିଲା । ଯାହାଫଳରେ ଅନେକଙ୍କୁ ନିରାଶ ହେବାକୁ ପଡିଛି ।
ତେବେ ସୂର୍ଯ୍ୟପରାଗକୁ ରାଜଧାନୀ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ସମେତ ଉପକୂଳ ଓଡିଶାର ଲୋକମାନେ ଦେଖିବାରୁ ବଞ୍ଚିତ ଥିଲେ । ଅନ୍ୟପଟେ ପୁରୀ, ବାଲେଶ୍ୱର, ଓ ସମ୍ବଲପୁରରେ ରହୁଥିବା ଲୋକମାନେ ଏହି ବିରଳ ସୂର୍ଯ୍ୟପରାଗ ଦେଖିଛନ୍ତି ।ତେବେ ଏହି ବିରଳ ସୂର୍ଯ୍ୟପରାଗଟି ପୁରା ଭାରତରେ ଦୂଶ୍ୟମାନ ହେଉଥିଲା । ବିଶେଷକରି ଦକ୍ଷିଣଭାରତର କିଛି ଅଞ୍ଚଳ ଯେପରି ତ୍ରିଭେନ୍ଦ୍ରମ, କୋଚି, ଚେନାଇ, ହାଇଦ୍ରାବାଦରେ କୁଣ୍ଡଳ ଆକାରରେ ପରାଗ ଦେଖିବାକୁ ମିଳିଥିଲା । ପରେ ଏହା ଧୀରେ ଧୀରେ ଦାଆ ଆକୃତି ନେଇଥିଲା । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୂର୍ଯ୍ୟପରାଗ ଦେଖିଛନ୍ତି । ଆଜି ସୂର୍ଯ୍ୟପରାଗ ସକାଳ ୮ଟା ୧୯ରୁ ସୂର୍ଯ୍ୟଙ୍କ ଠାରେ ଲାଗିବା ସହ ୧୧ଟା ୨୦ରେ ଏହା ଛାଡିଥିଲା ।