ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପେଣ୍ଡାଲ ବନ୍ଧା ସରିଥିଲା । ନାଲି ନେଳି ରଙ୍ଗର ଲାଇଟରେ ପୁରା ଏରିଆ ଝଲସି ଉଠୁଥିଲା । ଆଉ କିଛି ସମୟ ପରେ ଦର୍ଶକ ଝୁମିଥାନ୍ତେ ସୋନୁ ନିଗମଙ୍କ ଗୀତରେ । ହେଲେ ସବୁ ବିଗାଡି ଦେଲା କାଳବୈଶାଖୀ ।
ସନ୍ଧ୍ୟାରେ ବର୍ଷା ସାଙ୍ଗକୁ ଏମିତି ପବନ ବହିଲା ଯେ, ଚାହୁଁଚାହୁଁ ସବୁ କିିଛି ଛାରଖାର କରିଦେଲା । ଭାଙ୍ଗିଗଲା ଟେଣ୍ଟ ଓ ଉଡିଗଲା ଚେୟାର । ଫଳସ୍ୱରୂପ ପାଖାପାଖି ୮୦ହଜାରରୁ ଅଧିକ ଦର୍ଶକ ନିରାଶ ହୋଇଥିବା ଜଣାପଡିଛି । କାଳବୈଶାଖିର ଏଭଳି ତାଣ୍ଡବ ଦେଖିବାକୁ ମିଳିଛି ଯାଜପୁରରେ ।
ପୌରପାଳିକା ୧୫୦ବର୍ଷ ଏବଂ ଜିଲ୍ଲା ଗଠନର ୨୫ବର୍ଷ ପୂର୍ତି ଉତ୍ସବ ମଣ୍ଡବ ଧ୍ୱସ୍ତ ହୋଇଯାଇଛି । ଗଲା ୪ଦିନ ହେବ ଉତ୍ସବମୁଖର ଥିବା ଯାଜପୁର ଆଜି ପୂରା ଶାନ୍ତ ପଡିଯାଇଛି । ସେପଟେ ବଲିଉଡ ସିଙ୍ଗର ଶାନଙ୍କ ବେଳକୁ ପ୍ରବଳ ଜନଗହଳୀ ହୋଇଥିଲା । ଆଜି ସୋନୁନିଗମ ସୋ’ ଥିବାରୁ ଦର୍ଶକ ସଂଖ୍ୟା ବେଶି ହେବ ବୋଲି ଆଶା କରାଯାଉଥିଲା । ହେଲେ ସବୁ ଆଶା ଧୋଇଦେଲା କାଳ ବୈଶାଖୀ । କେବଳ ଏତିକି ନୁହେଁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ମଧ୍ୟ ସୂଚନା ମିଳିଛି ।