ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରକୁ ବିଶ୍ୱ ଐତିହସ୍ଥଳିରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କିଛି ଦିନ ପୂର୍ବ ଶ୍ରୀମନ୍ଦିର ଚାରିପଟ ଉଚ୍ଚେଦ ପରେ କିପରି ଦେଖାଯିବ ତାକୁ ନେଇ ଏକ ନକ୍ସା ପ୍ରସ୍ତୁତ ହୋଇଥିଲା । ତେବେ ଏହି ନକ୍ସାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । କିନ୍ତୁ ଶୁକ୍ରବାର ଦିନ ହେରିଟେଜ କରିଡର ଚିଠା ନକ୍ସା ପ୍ରସ୍ତୁତ କରିଥିବା ବାଙ୍ଗାଲୋରର ଏକ ସଂସ୍ଥା ଏହି ଦ୍ୱନ୍ଦ୍ୱକୁ ଶୁକ୍ରବାର ଦୂର କରିଛି ।
ସୂଚନାନୁଯାୟୀ, ପୂର୍ବରୁ ଯେଉଁ ଚିଠି ପ୍ରସ୍ତୁତ ହୋଇଥିଲା ସେଥିରେ ତିନିରଥ ସିଂହଦ୍ୱାର ସମ୍ମୁଖରେ ଦର୍ଶାଯାଇ ନଥିଲା । ତିନିରଥ ସିଂହଦ୍ୱାର ସମ୍ମୁଖୀନରୁ ଗଡିବେ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇନଥିଲା । ସେହିପରି ନକ୍ସାରେ ସିଂହଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ଭ ମଧ୍ୟ ନଥିଲା । ଯାହାକୁ ନେଇ ସଭିଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ତେବେ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ପରିଚାଳନା କମିଟିରେ ଥିବା ସେବାୟତ ପ୍ରତିନିଧି ଓ ଶ୍ରୀମନ୍ଦିର ପ୍ରାଶସନିକ ଅଧିକାରୀଙ୍କୁ ଐତିହ୍ୟ କରିଡର ସମ୍ପର୍କରେ ବିସ୍ତୃତି ଭାବେ ସଂସ୍ଥାର ପ୍ରତିନିଧି ବୁଝାଇଥିଲେ । ସଂସ୍ଥା ପକ୍ଷରୁ କୁହାଯାଇଥିଲା କି , ପରମ୍ପରାରେ କୌଣସ ବ୍ୟତିକ୍ରମ ହେବ ନାହିଁ ।
ପୂର୍ବରୁ ସିଂହଦ୍ୱାର ସମ୍ମୁଖରୁ ଯେଉଁଭଳି ଭାବେ ରଥ ଗଡୁଥିଲା ସେହିଭଳି ଭାବେ ହିଁ ତିନିରଥ ଗଡିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ସେହିଭଳି ଅରୁଣ ସ୍ତମ୍ଭ ଯେଉଁଠି ରହିଛି ସେହି ଜାଗାରେ ରହିବ ଏହାକୁ ପରବର୍ତ୍ତନ କରାଯିବ ନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ନୂଆ ଶେଡ ତିଆରି କରାଯାଇଛି ଯାହାକୁ ଖୋଲିଯିଆଯିବ ।ଶ୍ରୀମନ୍ଦିରକୁ ଭକ୍ତମାନେ କାକୁଡିଖାଇଙ୍କ ମନ୍ଦିର ପାଖରୁ ପ୍ରବେଶ କରିବେ । କାକୁଡିଖାଇଙ୍କ ମନ୍ଦିର ନିକଟରୁ ସ୍ଥାୟୀ ଶେଡ ତିଆରି କରାଯିବ । ବର୍ଷ ତମାମ ଦିଅଁଙ୍କର ବିଭିନ୍ନ ଯାନିଯାତ୍ରା ଠାକୁର ବାହାରକୁ ବିଜେ କରିଥାନ୍ତି ବୋଲି ସେବାୟତ ପ୍ରତିନିଧିମାନେ ପ୍ରସଙ୍ଗ ଉଠାଇଥିଲେ ।
ଏଥିପାଇଁ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ସେବାୟତଙ୍କ ପକ୍ଷରୁ ଦାବି କରାଯାଇଥିଲା । ଦିଅଁଙ୍କ ବିଜେ ପାଇଁ ସୁରକ୍ଷା ଜୋନ ମଧ୍ୟରେ ସ୍ବତନ୍ତ୍ର ଭାବେ ଏକ ପରିକ୍ରମା ମାର୍ଗ ରହିବ। ପ୍ରାୟ ୨୧ ଫୁଟ ଚଉଡ଼ାରେ ଏହି ପରିକ୍ରମା ମାର୍ଗ ଠାକୁର ଯେଉଁ ସାହିକୁ ବିଜେ କରନ୍ତି ସେଠାକୁ ସଂଯୋଗ ରହିବ ବୋଲି ନିଷ୍ପତ୍ତି ହୋଇଥିବା ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି। ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା, ଅନନ୍ତ ତିଆଡି, ମାଧବ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।