ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଉ ମାତ୍ର ୬ ଦିନ ପରେ ଦେଶରେ ଲାଗୁ ହୋଇଥିବା ଲକ ଡାଉନ ଅବଧି ଶେଷ ହେବ । ଯାହାକୁ ନେଇ ଏବେ ସାରା ଦେଶରେ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । ଲକ ଡାଉନ ଅବଧି ବଢିବ କି ନାହିଁ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ଆଠଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସି ଜରିଆରେ ଆଲୋଚୀନା କରିବେ । ଲକ ଡାଉନ ଅବଧିକୁ ନେଇ ଆଷଳାଚନା ହୋଇପାରେ ।
ତେବେ ଆମେ ଯଦି ସାଧାରଣ ଲୋକଙ୍କ କଥା ଦେଖିବା ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ଆଞ୍ଚଳିକ ଗଣମାଧ୍ୟମ ମାନଙ୍କ ଦ୍ୱାରା ଶୋସିଆଲ ମିଡିଆରେ ହେଉଥିବା ସର୍ଭେରେ ଅଧାରୁ ଅଧିକ ଲୋକ ଏବେ ଲକ ଡାଉନ ବୃଦ୍ଧିକୁ ଲାଇକ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ରାଜ୍ୟ ମାନଙ୍କ କଥା ଦେଖିବା ଓଡିଶା ସମେତ ଅନେକ ରାଜ୍ୟ ଏବେ ଦେଶରେ ଲକ ଡାଉନ ଅବଧି ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି । ତେବେ ଜାତୀୟ ସ୍ତରରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ମଧ୍ୟ ଅନେକ ରାଜ୍ୟରେ ଏବେ ମଧ୍ୟ ହୁହୁ ହୋଇ କରୋନା ପଜିଟିଭ ସଂଖ୍ୟା ବଢି ଚାଲିଛି ।
ସେପଟେ ଯଦି ତେଲେଙ୍ଗାନା କଥା ଦେଖିବା କେସିଆର ଆସନ୍ତା ମେ ୭ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ବଢାଇବେ ବୋଲି ଘୋଷଣା କରି ସାରିଛନ୍ତି । ତେବେ ଓଡିଶା ସରକାର ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଅଧିକାଂଶ ରାଜ୍ୟ ଏବେ ମେ ୩ ପରେ ମଧ୍ୟ ପ୍ରତିବନ୍ଧକ ଜାରି ରଖିବାକୁ ପ୍ରସ୍ଥାବ ରଖୁଛନ୍ତି ।
ସବୁଠାରୁ ବଡ କଥା ହେଉଛି ଏବେ ଦେଶରେ ଚିହ୍ନଟ ହେଉଥିବା ୮୦ ପ୍ରତିଶତରୁ ଅଧିକ ଲୋକଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉନାହିଁ । ଯାହା ଫଳରେ ପ୍ରଶାସନକୁ ଟ୍ରେସିଂକୁ ଅଧିକ ବ୍ୟାପକ କରିବାକୁ ପଡୁଛି । ଯାହା ସମୟ ସାପେକ୍ଷ ହୋଇ ପଡୁଛି । ଲକ୍ଷଣ ଦେଖାଯାଉ ନଥିବାରୁ ସଂକ୍ରମିତକ ଠାରୁ ସୁସ୍ଥ ଲୋକ ପର୍ଯ୍ୟନ୍ତ ବ୍ୟାପି ଯାଉଛି । ରାଉରକେଲାରୁ ଚିହ୍ନଟ ହୋଇଥିବା ସଂକ୍ରମଣ ଘରେ ରହି ସଂକ୍ରମିତ ହୋଇଛନ୍ତି । ସେ କେମିତି ସଂକ୍ରମିତ ହେଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । ଏମିତି ଅନେକ କେସ ଭାରତରେ ଦେଖାଦେଇଛି ।
ତେଣୁ ସାମାଜିକ ଦୂରତା ହିଁ ଏକ ବିକଳ୍ପ କରୋନାକୁ ଲଗାମ ଦେବାକୁ । ତେଣୁ ଅଧିକାଂଶ ସଂକ୍ରମିତ ରାଜ୍ୟ ଏବେ ଲକ ଡାଉନ ବୃଦ୍ଧି ସପକ୍ଷରେ ରହିଛନ୍ତି । ତେବେ ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବା ପରେ କିଛି ସ୍ପଷ୍ଟ ସୂଚନା ଅସିପାରେ ବୋଲି ଅନୁମାନ କରାଯାଉଛି ।