ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଉ ହାତରେ ମାତ୍ର ଗୋଟିଏ ଦିନ । ୩ ତାରିଖ ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ଶେଷ ହୋଇ ୪ ତାରିଖରେ ଆରମ୍ଭ ହେବ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ ଡାଉନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଜିଲ୍ଲା ମାନଙ୍କୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି । ଯଥା ଗ୍ରୀନ ଜୋନ, ଅରେଞ୍ଜ ଜୋନ ଓ ରେଡ ଜୋନ । ଏହି ହିସାବରେ ବିଭିନ୍ନ ଜୋନରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଯାହାଫଳରେ ସାଧାରଣରେ ଆର୍ଥିକ ପରିସ୍ଥିତି ଟିକେ ସୁଧୁରିବ ।
ତେବେ ଏଥର ଲକ ଡାଉନରେ ଗ୍ରୀନ ଜୋନ ପାଇଁ ଗୋଟେ ବଡ ଘୋଷଣା କରାଯାଇଛି । ଯେଉଁଥିରେ ସୂଚନା ଦିଆଯାଇଛିକି ଗ୍ରୀନ ଜୋନରେ କିଛି ନିର୍ଦ୍ଧିଷ୍ଟ ସର୍ତ୍ତ ଅନୁସାରେ ମଦ ଦୋକାନ ଖୋଲିବ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେହି କେହି ଏହାକୁ ସ୍ୱାଗତ କରୁଥିବା ବେଳେ କେହିକେହି ଏହାକୁ ବିରୋଧ ମଧ୍ୟ କରୁଛନ୍ତି । ତେବେ ଯେଉଁ ଉଦେଶ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ଯଦି ତାହାର କିଛି ପାଶ୍ୱର୍ ପ୍ରତିକ୍ରିୟା ସମାଜ ଉପରେ ପଡିବ ତାହେଲେ କଥାଟା ଅଲଗା ହୋଇଯିବ । କାରଣ ଲକ ଡାଉନ ରହିଥିବାରୁ ଏବେ ପାଖାପାଖି ୭୦ ପ୍ରତିଶତ ଲୋକଙ୍କ ପାଖରେ କାମ ନାହିଁ । ସେମାନେ କେବଳ ସରକାରଙ୍କ ନିର୍ଦେଶକୁ ମାନି ଘରେ ବନ୍ଦୀ ହୋଇ ରହିଛନ୍ତି ।
ତେବେ ଏଭଳି ପରିସ୍ଥିତିରେ ନିଜ ସ୍ୱାସ୍ଥ୍ୟ ଓ ପରିବାରର ସୁରକ୍ଷା ପାଇଁ ଗୃହ ବନ୍ଦୀ ହୋଇ ରହିବା ସବୁଠାରୁ ଭଲ ମେଡିସିନ । ସେ ଯାହାବି ହେଉ ପାଖାପାଖି ୯୦ ପ୍ରତିଶତ ଲୋକ ଗତ ୩୯ ଦିନ ହେଲା ଘରେ ରହି ସରକାରଙ୍କୁ ସହଯୋଗ କରି ଆସୁଛନ୍ତି । ତେବେ ଏହି ଅବଧି ଏବେ ପୁଣି ୧୪ ଦିନ ବୃଦ୍ଧି କରାଯାଇଛି । ତେବେ ଏନେଇ ଏବେ ବୁଦ୍ଧୀଜୀବି ମତ ରଖୁଛନ୍ତି ଯେ ଆଗାମୀ ୧୪ ଦିନ ଲକ ଡାଉନରେ ଅଧିକ ଘରୋଇ ଓ ସାମାଜିକ ବିଶୃଙ୍ଖଳା ବୃଦ୍ଧି ପାଇବ । ଯାହା ପଛରେ ପ୍ରମୁଖ କାରଣ ହେଲା ସହଜରେ ଉଚିତ ମୂଲ୍ୟରେ ହାତ ମୁଠାରେ ଏବେ ମଦ ମିଳିବ । ଅର୍ଥାତ ପୁଣି ମଦ ଦୋକାନ ଖୋଲିବାକୁ ଅନୁମତି ମିଳି । ଯାହା ଫଳରେ ଗତ ୪୦ ଦିନ ହେଲା ମଦ ଠାରୁ ଦୂରେଇ ରହିଥିବା କିଛି ଅଭ୍ୟାସ ଗତ ନିଶାଖୋର ମାନେ ପୁଣି ପୂର୍ବଅବସ୍ଥାକୁ ଫେରି ଆସିବେ । କାରଣ ଗତ ୩୯ ଦିନ ହେଲା ଦେଶରେ ମଦ ଦୋକାନ ବନ୍ଦ ରହିଥିବାରୁ ମଦ ମିଳିବା କଷ୍ଟକର ହୋଇ ପଡୁଥିଲା । ଆଉ ଯେଉଁଠି ବି ଲୁଚା ଛପାରେ ମିଳୁଥିଲା ତାର ମୂଲ୍ୟ ଥିଲା ୪ ଗୁଣା ଅଧିକ । ଯାହାଦ୍ୱାରା ସାଧାରଣ ଲୋକଟିଏ ପକ୍ଷରେ ମଦ କିଣିବା ସହଜ ନଥିଲା ।
କିନ୍ତୁ ଏବେ ପରିସ୍ଥିତି ଓଲଟି ଯିବ । କାରଣ ଗୋଟେ ସାଧାରଣ ନିଶାଖୋର ଶ୍ରମିକ ଦିନ ମଜୁରିଆ କଥାକୁ ଯଦି ଆମେ ଉଦାହରଣ ଭାବେ ଦେଖିବା – ଏପଟେ ଲକ ଡାଉନରେ କାମ ନଥିବାରୁ ଅର୍ଥ ଅଭାବ ସେପଟେ ସ୍ୱାମୀ ଯଦି ମଦ ପିଇବାକୁ ଟଙ୍କା ଦାବି କଲା ତେବେ କଥାଟି ଝିଣ୍ଟିକା ମାରି ବଣି ପୋଷିବା ଭଳି ହୋଇଯିବ । ବିନା କାରଣରେ ଘରେ ଆରମ୍ଭ ହୋଇଯିବ ମଦରୁ ମହାଭାରତ । ସେହିଭଳି ଅନ୍ୟଗୋଟେ ପକ୍ଷକୁ ଯଦି ଆମେ ଦୃଷ୍ଟି ଦେବା ଆଗରୁ ରାସ୍ତାକୁ ବାହାରୁଥିବା ଲୋକଟିଏ ମେଡିକାଲ କାଗଜ ପତ୍ରକୁ ରୋଡରେ ପାସ ଭାବରେ ବ୍ୟବହାର କରୁଥିଲା । ଏବେ ଆଉ ମଦୁଆ ମାନେ ମଦକୁ ରାସ୍ତାରେ ପାସ ଭାବରେ ବ୍ୟବହାର କରି ବିଶୃଙ୍ଖଳା ସୃଷ୍ଟି କରିିବେ ନାହିଁତ ? ଯେଉଁ ମହତ ଉଦେଶ୍ୟ ପାଇଁ ସାରା ଦେଶକୁ ବନ୍ଦ କରାଯାଇଛି ତାହା ପ୍ରଭାବିତ ହେବ ନାହିଁତ ? ଏବେ ସାମାଜିକ ଦୂରତା ପାଇଁ ହୋଇଥିବା କଟକଣାକୁ ମାନିବେ ତ ନିଶାଡି? ପୋଲିସ ପ୍ରଶାସନ କରୋନା ରୋକିବା ପାଇଁ କାର୍ଯ୍ୟ କରିବେ ନାଁ ମଦୁଆଙ୍କୁ ସାବାଡ କରିବା ପାଇଁ ରାସ୍ତାରେ ଜଗିବେ ? ଏମିତି ଅନେକ ପଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ସେପଟେ ଏହି ପ୍ରସଙ୍ଗକୁ ନେଇ ଖିଛି ବୁଦ୍ଧିଜୀବି ମତ ରଖି କହୁଛନ୍ତି , ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହା ଉପରେ ପୁନଃ ବିଚାର କରି ନିଷ୍ୱତ୍ତି ନିଅନ୍ତୁ । ନହେଲେ ନହେଲେ ନେଡିଗୁଡ କହୁଣୀକୁ ବୋହିଯିବ ।