ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭୁବନେଶ୍ୱର ଓ କଟକ ମଧ୍ୟରେ ଟ୍ରେନରେ ଯାତ୍ରା କରୁଥିବା ଲୋକ ମାନଙ୍କ ପାଇଁ ଖୁସି ଖବର । ଆସନ୍ତା କାଲି ଠାରୁ ପରୀକ୍ଷା ମୂଳକ ଭାବେ କଟକ ଭୁବନେଶ୍ୱର ମଧ୍ୟରେ ଗଡିବ ସ୍ୱତନ୍ତ୍ର ଟ୍ରେନ । ଆସନ୍ତା କାଲି ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ ପରୀକ୍ଷା ମୂଳକ ଭାବେ ଚାଲିବ । ତେବେ ଦିନକୁ ଦିନ ଭୁବନେଶ୍ୱର ଓ କଟକ ମଧ୍ୟରେ ଜନ ସଂଖ୍ୟା ବଢିବାରେ ଲାଗିଛି । ଏହା ସହ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହାକୁ ନଜରରେ ରଖି ପୂର୍ବତଟ ରେଳ ବିଭାଗ ପକ୍ଷରୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଗଡିବାର ବ୍ୟବସ୍ଥା କରାଯାଇଛି ।
ଏହି ଟ୍ରେନ ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ ମିନିଟରେ ଛାଡି ୨ଟା ୩୦ ମିନିଟ ସମୟରେ କଟକରେ ପହଞ୍ଚିବ । ଏହା ପରେ କଟକରୁ ପୁଣି ୨ଟା ୪୦ ମିନିଟରେ ଛାଡି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ । ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସ୍ୱତନ୍ତ୍ର ଟ୍ରେନ ପରୀକ୍ଷା ମୂଳକ ଭାବେ ୧ମାସ ଗଡିବ । ଯଦି ଏହା ସଫଳ ହୁଏ ତେବେ ଏହାକୁ ପର୍ଯ୍ୟାୟ କ୍ରମେ ଗଡିବ । ଏହି ଟ୍ରେନ ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ୍ଟି କଟକ ଅଭିମୁଖେ ଯିବ। କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ।