ପୁରୀ (ଏଟିଆର ବ୍ୟୁରୋ): ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଆଜି ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ, ଶ୍ରୀମନ୍ଦିରର ଚାରି ଦ୍ୱାର ଦେଇ ଧସେଇ ପସିଛନ୍ତି ଶ୍ରୀଜଗନ୍ନାଥ ସେନା କର୍ମୀ । ଏହାସହିତ ମନ୍ଦିର ବାହାରେ ଏବଂ ବାଇସ ପାହାଚ ରେ କରାଯାଇଥିବା ବ୍ୟାରକେଡକୁ ଉପାଡି ଫିଙ୍ଗି ଦେଇଛନ୍ତି । ଫଳରେ ଅସାନ୍ତ ହୋଇପଡିଛି ପୁରୀ ସହର । ଚାରିଆଡେ ଭଙ୍ଗାରୁଜା । କାହାକୁ ବି ମାନି ନାହାନ୍ତି ଜଗନ୍ନାଥ ସେନା । କର୍ମୀମାନେ ଉଗ୍ରରୂପ ଧାରଣ କରି ବିଧାୟକ ମହେଶ୍ୱର ମହାନ୍ତିଙ୍କ ଘରେ ପସି ଆସବାବପାତ୍ର ଭଙ୍ଗାରୁଜା କରିଛନ୍ତି ।
ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ସକାଳୁ ପୋଲିସ ଉଠାଇ ନେଇ ଯିବା ପରେ ମଧ୍ୟ ଆନ୍ଦୋଳନ ଜାରି ରହିଛି ।
ଆନ୍ଦୋଳନକାରୀମାନେ ଟାୟାର ଜାଳି ବଡ ଦାଣ୍ଡ ଅବରୋଧ କରିବା ସହ ମନ୍ଦିର ପ୍ରଶାସନର ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।
ଅନ୍ୟପଟରେ ପୁରୀ ଏସପିଙ୍କ ବାସଭବନ ଉପରକୁ ଢେଲା ମାଡ କରି ଅନେକ ଜିନିଷ ଭାଙ୍ଗିରୁଜି ଦେଇଛନ୍ତି ।
ବନ୍ଦ ପ୍ରଭାବରେ ସମସ୍ତ ଦୋକାନ ବଜାର ସମେତ ସ୍କୁଲ କଲେଜ ବନ୍ଦ ରହିଛି ।