ଝାରସୁଗୁଡା(ଏଟିଆର ବ୍ୟୁରୋ): ଫ୍ୟୁଜ୍ ଲଗାଉଥିବା ବେଳେ ଜିଅନ୍ତା ଜଳିଗଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଲଖନପୁର ବ୍ଲକ ରେଙ୍ଗାଲି ଗ୍ରାମରେ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ ଘଟିଛି । ମୃତକ ଜଣକ ଛତିଶଗଡ ଶିରିଆ ଅଞ୍ଚଳର କାହ୍ନୁ ଚରଣ ସାହୁ ବୋଲି ଜାଣିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ବିଦ୍ୟୁତ ବିଭାଗ ପହଁଞ୍ଚିଛି ।
ଆଜି ସକାଳେ ରେଙ୍ଗାଲି ଗ୍ରାମରେ ଥିବା ଏକ ଟ୍ରାନ୍ସଫର୍ମରରୁ ଫ୍ୟୁଜ କଟିଯାଇଥିଲା । ଫ୍ୟୁଜକୁ ଠିକ୍ କରିବା ପାଇଁ ଆଉଟ୍ ସୋର୍ସିଂ ଠିକା କର୍ମଚାରୀ କାହ୍ନୁ ଚରଣ ସାହୁ ତାହାକୁ ସଜାଡିବାକୁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଉପରେ ଚଢିଥିଲେ । ହେଲେ ହଠାତ୍ ବିଦ୍ୟୁତ ଚାର୍ଜ ହୋଇଯିବାରୁ ଟ୍ରାନ୍ସଫର୍ମର ହୁତୁହୁତୁ ହୋଇ ଜଳିବା ଆରମ୍ଭ ହୋଇଥିଲା । ଫଳରେ ଜିଅନ୍ତା ଜଳି ଯାଇଥିଲେ ବିଦ୍ୟୁତ୍ କର୍ମଚାରୀ କାହୁ୍ନ । ତାଙ୍କ ମୃତଦେହ ବହୁ ସମୟ ଧରି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଉପରେ ଝୁଲନ୍ତା ଅବସ୍ଥାରେ ଥିଲେ ମଧ୍ୟ କେହି ତାଙ୍କୁ ତଳକୁ ଆଣିବାକୁ ସାହାସ କରିନଥିଲେ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତକର ପରିବାର ଲୋକଙ୍କ ସହିତ ସ୍ଥାନୀୟ ଲୋକମାନେ ଘଟଣାର କ୍ଷତି ପୂରଣ ପାଇଁ ଦାବି କରିଛନ୍ତି ।