ଭୁବନେଶ୍ୱର (ଏଟଇଆର ବ୍ୟୁରୋ): ଆଜି ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଲୋକସଭା ଭବନଠାରେ ବସିବାକୁ ଯାଉଛି । ଅପରାହ୍ନ ୫ଟା ୩୦ରେ ବସିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିବେ ।ଏହି ବୈଠକରେ ମୁଖ୍ୟତଃ ୫ଟି ପ୍ରସ୍ତାବରେ ମୋହର ବସିବାର ସମ୍ଭାବନା ରହିଛି । ସେହିପରି ଅର୍ଥ ଆୟୋଗଙ୍କ ଅନୁଦାନ ବିନିଯୋଗ ଦିଗରେ ନୂଆ ପ୍ରସ୍ତାବ ଆସିବାକୁ ଯାଉଛି ବୋଲି ସୂଚନା ମିଳିଛି । ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗ , ସ୍ୱାସ୍ଥ୍ୟ , ପଞ୍ଚାୟତରାଜ, ସାଧାରଣ ପ୍ରଶାସନ , ପୂର୍ତ୍ତ ଓ ସାଧାରଣ ଅଭିଯୋଗ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଏହି ବୈଠକରେ ମଞ୍ଜୁରୀ ଦିଆଯିବ ବୋଲି ଜଣାପଡିଛି ।
ତେବେ ପଞ୍ଚାୟତରାଜ ବିଭାଗ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ଅଧିକ ସଶକ୍ତ ତଥା କ୍ରିୟାଶୀଳ କରିବା ସଙ୍ଗେସଙ୍ଗେ ଗ୍ରାମାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ସମ୍ବନ୍ଧୀୟ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ବିତ କରିବା ସକାଶେ ସରକାର ପଦକ୍ଷେପ ନେବା ପାଇଁ ଘୋଷଣା କରିଛନ୍ତି। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରୁ ଗୋଟିଏ ଲେଖା ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ କରାଯାଇ ଏହାର ଆଧୁନିକୀକରଣ କରାଯିବ। ଏଥିପାଇଁ ପ୍ରତ୍ୟେକ ସ୍କୁଲ ଲାଗି ପ୍ରାୟ ୫୦ଲକ୍ଷ ଟଙ୍କାର ଅନୁଦାନ ବରାଦ କରାଯିବ। ସେହିପରି ସେହି ବିଦ୍ୟାଳୟଗୁଡିକରେ ଖାଲି ଥିବା ଶିକ୍ଷକ ପଦବୀକୁ ମଧ୍ୟ ପୂରଣ କରାଯିବ। ଏହି ସ୍କୁଲଗୁଡିକର ସମ୍ପତ୍ତି ପଞ୍ଚାୟତ ସମିତି ଖାତାରେ ହିସାବ କରାଯିବ। ତେବେ ସୂଚନାଯୋଗ୍ୟ ଯେ, ଏ ସମ୍ପର୍କରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉତଥାପିତ କରିଛନ୍ତି। ଏନେଇ ରାଜ୍ୟରେ ଥିବା ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମସ୍ତ ବିଧାୟକଙ୍କୁ ମଧ୍ୟ ବିଭାଗୀୟ ମନ୍ତ୍ରୀ ଚିଠିଲେଖି ଜଣାଇଥିଲେ । ତେବେ ଆଜି ଏନେଇ କ୍ୟାବିନେଟରେ ମୋହର ବାଜି ପାରେ ।