ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚଳିତ ବର୍ଷ ଓଡିଶାରେ ହେବନି ବୋଲବମ୍ ଯାତ୍ରା । କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଏଭଲି ଏକ ନିଷ୍ପତି ନେଇଛନ୍ତି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମୀଳନୀ କରି ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା। ଏହା ସହିତ ସେ କହିଛନ୍ତି ଯେ, ଜୁଲାଇ ୩୧ ପର୍ୟ୍ୟନ୍ତ ରାଜ୍ୟ ସରକାର ସମସ୍ତ ଧର୍ମପୀଠ ବନ୍ଦ ରହିବା ସହ ସମସ୍ତ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ ମଧ୍ୟ ରୋକ ଲଗାଯାଇଛି ।
ଆସନ୍ତା ସୋମବାର ଠାରୁ ଶ୍ରାବଣ ଆରମ୍ଭ ହେଉଥିବାରୁ ଜଳଲାଗି ହେଲେ ବିଭିନ୍ନ ମନ୍ଦିରରେ ଜନସମାଗମ ହେବ ଏବଂ ଏହାଦ୍ବାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ବିଚାର କରି ରାଜ୍ୟ ସରକାର ପୂରା ରାଜ୍ୟରେ ଥିବା ସମସ୍ତ ଶୈବପୀଠରେ ଜଳଲାଗି ଓ ବୋଲବମ୍ ପଦଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି ।