ଭୁବନେଶ୍ୱର ( ଏଟିଆର ବ୍ୟୁରୋ):କ୍ରୀୟାଶୀଳ ହେବ ରାଜ୍ୟ ସରକାରଙ୍କ ସଂମ୍ପୁର୍ଣ୍ଣା ଯୋଜନା । ଏ ନେଇ ନିର୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାରକୁ କମ କରିବା ପାଇଁ ପୁଣି ସମ୍ପୂର୍ଣ୍ଣା ଯୋଜନାକୁ କ୍ରୀୟାଶୀଳ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୨୦୧୧-୧୩ ବର୍ଷରେ ରାଜ୍ୟରେ ପ୍ରତି ଏକ ଲକ୍ଷ ପ୍ରସୂତୀଙ୍କ ମଧ୍ୟରୁ ୨୨୨ ଜଣ ମୃତ୍ୟୁବରଣ କରୁଥିବାବେଳେ ୨୦୧୪-୧୬ ସୁଦ୍ଧା ତାହା ୧୮୦କୁ ହ୍ରାସ ପାଇଛି । ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣା ଯୋଜନା ମାଧ୍ୟମରେ ଏହାକୁ ୧୧୭ ଓ ୨୦୩୦ ସୁଦ୍ଧା ୭୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ସେହିଭଳି ୨୦୧୧-୧୩ରେ ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ୫୧ ଜଣ ମୃତ୍ୟୁମୁଖରେ ପଡୁଥିବାବେଳେ ୨୦୧୭ ରେ ତାହା ୪୧ରେ ପହଞ୍ଚିଛି ।
ତେବେ ୨୦୨୦ ସୁଦ୍ଧା ଏହି ସଂଖ୍ୟା ୩୦କୁ ହ୍ରାସ କରିବାଲାଗି ଲକ୍ଷ୍ୟ ରହିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଶିଶୂ ଓ ମାତୃ ମୃତ୍ୟୁ ହାରକୁ ନେଇ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି । ତେବେ ଏହି ସବୁଠୁ ବେଶି ଗୁରୁତ୍ୱ ଦିଆଯାଇଥିଲା ଗର୍ଭବତୀ ମହିଳାଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ନିରାକରଣ ଓ ପୁଷ୍ଟିହୀନତା । ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ଅତ୍ୟାଧୁନିକ ଉପାୟରେ କିଭଳି ଏହାକୁ ରୋକାଯାଇ ପାରିବ ସେ ନେଇ ମତ ପ୍ରକାଶ ପାଇଥିଲା ।
ଏହି ଯୋଜନାକୁ ଅଧିକ ଶକ୍ତିଶାଳୀ କରିବା ସହ ଏଫ୍ଆରୟୁ ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ପ୍ରସୂତୀଙ୍କପାଇଁ ଥିବା ଓଟି ଏବଂ ଏସ୍ଏନ୍ସିୟୁରେ ତାଲିମପ୍ରାପ୍ତ ଷ୍ଟାଫନର୍ସ ନିଯୁକ୍ତି ଉପରେ ଧ୍ୟାନ ଦେବା ପାଇଁ ମତ ପ୍ରକାଶ ପାଇଛି । ଏହି ବୈଠକରେ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ, ରାଜ୍ୟ ମେଡିକାଲ ନିଗମର ଏମ୍ଡି ୟାମିନୀ ଷଡଙ୍ଗୀ, ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଆଇଆଇପିଏଚ୍ ଭୁବନେଶ୍ୱରର ନିର୍ଦ୍ଦେଶକ ଡାକ୍ତର ସୁବାସ ସାଲୁ, ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ ।