ଜୟପୁର (ଏଟିଆର ବ୍ୟୁରୋ) : ବାହାଘର ଭୋଜି ଖାଇବାକୁ ଯାଇ ଆଉ ଫେରି ନଥିଲେ ମୋଦି । ଡଙ୍ଗରା ଗ୍ରାମର ମୋଦି ନାମକ ଜଣେ ବ୍ୟକ୍ତି ବାହାଘର ଭୋଜି ଖାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ମିଳିଥିବା ସୂଚନା ମୁତାବକ, ଡଙ୍ଗରା ଗ୍ରାମର ମୋଦି ଦଣ୍ଡସେନା ଗାଁରେ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ହେଲେ ଘରକୁ ସେ ଫେରି ନଥିବାରୁ ଘର ଲୋକ ବ୍ୟସ୍ତ ହୋଇ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ । ବହୁ ଖୋଜା ଖୋଜି ପରେ ମୋଦିଙ୍କ ପତ୍ତା ନମିଳିବାରୁ ପରିବାର ଲୋକ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ ।
କିନ୍ତୁ ଆଜି ସକାଳୁ କେନାଲ ନିକଟରୁ ମୋଦିଙ୍କର ମୃତ ଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ପରିବାର ଓ ପୋଲିସଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ଜୟପୁର ଡାକ୍ତରଖାନାକୁ ପଠାଇଛି । ମୋଦି ଜଣେ କାଠ ବ୍ୟବସାୟୀ ହୋଇଥିବା ବେଳେ ବ୍ୟବସାୟିକ ଶତୃତାରୁ ତାଙ୍ଗୁ ହତ୍ୟା କରାଯାଇ ଥାଇ ପାରେ ବୋଲି ପରିବାର ଲୋକ ଅନୁମାନ କରୁଛନ୍ତି ।