ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେଉଁଠି କିଛି ବି ହେଲେ ଆମେ ସଙ୍ଗେ ସଙ୍ଗେ ତୁମକୁ କୋର୍ଟରେ ଦେଖି ଦେବି ବୋଲି କହିଥାଉ । ହେଲେ ଆମ ଦେଶ ତଥା ରାଜ୍ୟରେ କୋର୍ଟର ସଂଖ୍ୟା କମ ଥିବାରୁ ମାମଲାର ସଂଖ୍ୟା ଧୀରେ ଧୀରେ ଅଧିକ ହୋଇଯାଉଛି । କୋର୍ଟ ସଂଖ୍ୟା କମ ହେବାରୁ ଅନେକ ସମୟରେ ଦୋଷୀ ଦଣ୍ଡ ପାଇ ପାରୁନି କି ଠିକ୍ ଲୋକକୁ ଠିକ୍ ସମୟରେ ନ୍ୟାୟ ମିଳିପାରୁ ନାହିଁ । କୋର୍ଟ ସଂଖ୍ୟା କମ ଥିବାରୁ ଲକ୍ଷ ଲକ୍ଷ ମାମଲାର ଶୁଣାଣୀ ନହୋଇ ପଡିରହିଛି ।
ଏଥିପାଇଁ ଆମ ରାଜ୍ୟରେ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଖୋଲାଯିବ । କୋର୍ଟର ଅଭାବ ଓ ମାମଲାର ଶୁଣାଣୀ ସଂଖ୍ୟା ବଢାଇବା ପାଇଁ ହାଇକୋର୍ଟଙ୍କ ସୁପାରିସ କ୍ରମେ ହାଇଲେଭଲ କମିଟି ଦ୍ୱାରା ନିଆ ଯାଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ୬ଟି ସ୍ଥାନରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଖୋଲିବାକୁ ଆଜି ହାଇକୋର୍ଟ ପକ୍ଷରୁ ଅନୁମତି ଦିଆଯାଇଛି । ଏହି କୋର୍ଟ ଗୁଡିକ କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ ଓ ଖରିଆରେ ଖୋଲାଯିବ । ଏହି କୋର୍ଟ ଗୁଡିକ ଖୋଲିବା ଫଳରେ ଏଠାକାର ଲୋକମାନଙ୍କର ମାମଲାର ଶୁଣାଣୀ ଶୀଘ୍ର ହୋଇପାରିବ ବୋଲି ଆଶା କରାଯାଉଛିି ।