ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପିଆଜ ଦେଖିଲେ ଡର ଲାଗୁଛି । ବଜାରକୁ ଗଲାବେଳେ ପିଆଜ, ଝୁଡିରେ ଥାଇ ଥଟା କରୁଛି । ଆଉ ପାଖକୁ ଗଲା ବେଳକୁ ହସୁଛି । କହୁଛି ଛୁ ନାଁ ମତେ । ସାଧାରଣତଃ ପିଆଜ ଟିକେ ତରକାରିରେ ନ ପଡିଲେ ତରକାରୀ ସ୍ୱାଦିଷ୍ଟ ଲାଗିନଥାଏ । ଆଉ ଆମିଷ ହେଲେ ତ କଥା ସରିଲା । ଏବେ କିନ୍ତୁ ଚିତ୍ର ପୁରା ଓଲଟା । ପିଆଜ ନା ଶୁଣିଲେ ଗୃହିଣୀମାନେ ଚିନ୍ତାରେ ପଡି ଯାଉଛନ୍ତି । ଲାଗୁଛି ସତେ ଯେମିତି ପ୍ରତିଦିନ ଘରେ ସଂକ୍ରାନ୍ତି । ସକାଳୁ ଉଠିଲେ କଣ ରାନ୍ଧିବେ ପରିବାର ଲୋକଙ୍କୁ କଣ ଖାଇବାକୁ ଦେବେ ଏହାକୁ ନେଇ ଏବେ ଅଡୁଆରେ ଘରଣୀ ।
ଏବେ ପରିସ୍ଥିତି ଏମିତି ହୋଇଛି ବଜାରକୁ ଗଲେ ପିଆଜ ଦର ଶୁଣିଲେ କିଣିବ କି ନାହିଁ ତାହା ଭାବି ଆଗ ନିଜ ପକେଟରେ ହାତ ମାରିବାକୁ ପଡୁଛି । ଯେଉଁ ପିଆଜ ୪ମାସ ତଳେ ୨୦ ଟଙ୍କାରେ ମିଳୁଥିଲା ତାହା ଏବେ ପହଞ୍ଚିଛି ୮୦ ଟଙ୍କାରେ । ଏମିତି ବଜାରର ସ୍ଥିତି ଯଦି ଲାଗି ରୁହେ ତେବେ ପିଆଜ ଦର ଖୁବ ଶୀଘ୍ର ୧୦୦ ଟପି ଯିବ । ଦୁଇଦିନ ତଳେ ପିଆଜର ଦର ୫୦ରୁ ୬୦ ଟଙ୍କା ଥିବା ବେଳେ ଏବେ ଏହା ୮୦ ଟଙ୍କାରେ ପହଞ୍ଚିଛି । ସେପଟେ ସରକାର ବଢୁଥିବା ପିଆଜ ଦରକୁ ଦେଖି ମୈତ୍ରୀ ଷ୍ଟୋରରେ ସୁଲଭ ଦରରେ ପିଆଜ ବିକ୍ରି କରୁଛନ୍ତି ଯାହା ସମୁନ୍ଦ୍ରକୁ ସଙ୍ଖେ ।
ପିଆଜ ମୁଖ୍ୟତଃ ମହାରାଷ୍ଟ୍ରରୁ ଆସୁଥିବା ବେଳେ ସେଠାରେ ଲଗାଣ ବର୍ଷା ଶକାସେ ପିଆଜ ଉତ୍ପାଦନ ହୋଇପାରୁନାହିଁ । ଯାହା ଫଳରେ ପିଆଜ କ୍ୱିଣ୍ଟାଲ ପିଛା ୬୫୦୦ରୁ ୭୫୦୦ରେ ବିକ୍ରି ହେଉଛି । ସେହିପରି ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ଯଦି ସଠିକ ପରିମାଣରେ ପିଆଜ ଉତ୍ପାଦନ କରାଯିବ ତେବେ ଯାଇ ଓଡ଼ିଶାରେ ପିଆଜ ଦର କମିବ ବୋଲି ଆଶା କରାଯାଉଛି ।