ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ୨୦୧୩ ରୁ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ସାରା ଓଡ଼ିଶାରେ ବର୍ତ୍ତମାନ ୫୧୨ଟି ୧୦୮ ଆମ୍ବୁଲାନ୍ସ ଚଳାଚଳ କରୁଛି ।
ତେବେ ୫୧୨ଟି ଆମ୍ବୁଲାନ୍ସ ମଧ୍ୟରୁ ପ୍ରାୟ ଅଧିକାଶଂ ଆମ୍ବୁଲାନ୍ସ ପୁରୁଣା ହୋଇ ଗଲାଣି ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ୧୦୮ ଆମ୍ବୁଲାନ୍ସ ଗୁଡିକୁ ନୂଆ କରିବା ପାଇଁ ଯୋଜନା କରାଯାଇଛି ।
ଏଥି ସହିତ ୧୦୮ ଆମ୍ବୁଲାନ୍ସ ସେବା ସହିତ ୧୦୨ ଆମ୍ବୁଲାନ୍ସ କୁ ମଧ୍ୟ ଯୋଡାଯାଉଛି । ଯାହା ଫଳରେ ଲୋକେ କେବଳ ୧୦୮ ନମ୍ବରକୁ କଲ କରି ଉଭୟ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା ପାଇପାରିବେ ।
ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ୧୦୮ ଆମ୍ବୁଲାନ୍ସ ଗୁଡିକର ନବୀକରଣ ହେବା ସହିତ ୧୧୨ ନମ୍ବରରେ ପୋଲିସ, ଅଗ୍ନିଶ୍ରମ, ଓ ଆମ୍ବୁଲାନ୍ସ ସେବାକୁ ଗୋଟିଏ ନମ୍ବରରେ ଉପଲବ୍ଧ କରାଯିବାର ଯୋଜନା କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୁଚନା ଅନୁସାରେ ଏହି ସବୁ ସେବା ଲୋକଙ୍କ ପାଖରେ ଖୁବ ଶୀଘ୍ର ପହଞ୍ଚିବ ।
୧୦୨ ଆମ୍ବୁଲାନ୍ସ ସେବା ୨୦୧୪ରୁ ଆରମ୍ଭ ହୋଇଥିଲେ ହେଁ ଏଯାଏଁ ୧୦୨ ଆମ୍ବୁଲାନ୍ସ ଗୁଡିକର ନବୀକରଣ ଉପରେ କୌଣଷି ଯୋଜନା କରାଯାଇନାହିଁ । ରାଜ୍ୟରେ ବର୍ତ୍ତମାନ ୫୨୦ ଟି ୧୦୨ ଆମ୍ବୁଲାନ୍ସ ଚଳାଚଳ କରୁଛି ।