କଳାହାଣ୍ଡି ( ଏଟିଆର ବ୍ୟୁରୋ): ରାକ୍ଷସୀ ସାଜିଲା ମା! ନିଜ ଜନ୍ମ କଲା ଛୁଆ ନୁହେଁ ବୋଲି ତଣ୍ଟି ଚିପି ମାରିଲା ସାବତ ମା ! ଏମିତି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲାଥାନା ଲାଖବାହାଲିରେ । ଜଣେ ସାବତ ମା ଗୋଟେ ୩ ବର୍ଷର ଶିଶୁ କନ୍ୟାକୁ ତଣ୍ଟି ଚିପି ମାରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଉକ୍ତ ଅଞ୍ଚଳର ଯୁଗେଶ୍ୱର ସା ନିଜ ପ୍ରଥମ ସ୍ତ୍ରୀ ମରି ଯିବାରୁ ଆଶାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।
ପୂର୍ବରୁ ଯୁଗେଶ୍ୱରଙ୍କ ପ୍ରଥମ ସ୍ତ୍ରୀର ଗୋଟେ ୩ ବର୍ଷର କନ୍ୟା ସନ୍ତାନ ନନ୍ଦିନୀ ଥିଲା । ଗତକାଲି ନନ୍ଦିନୀ ଖେଳି ସାରି ଘରକୁ ଆସିଥିଲା ମାତ୍ର ଘରେ କୌଣସି କାରଣ ପାଇଁ ସାବତ ମା ଆଶା ନନ୍ଦିନୀକୁ ତଣ୍ଟି ଚିପି ମାରି ଦେଇଥିବା ନନ୍ଦିନୀର ମାମୁଁ ଥାନାରେ ଅଭିଯୋଗ କରିଛନ୍ତି ।
ନନ୍ଦିନୀର ବାପା ଯୁଗେଶ୍ୱରଙ୍କ କହିବା କଥା ସେ ରାତିରେ କାମ ସାରି ଘରକୁ ଫେରିବା ପରେ ଝିଅ ଶୋଇ ପଡ଼ିଛି ବୋଲି ଆଶା କହିଥିଲେ। ହେଲେ ଯୁଗେଶ୍ୱର ଯେତେବେଳେ ଝିଅକୁ ଉଠାଇବାକୁ ଚେଷ୍ଟା କଲେ ସେତେବେଳେ ସେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ନନ୍ଦିନୀର ବାପା ଓ ସାବତ ମାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି ।