କୋଣାର୍କ (ଏଟିଆର ବ୍ୟୁରୋ): ଓଡିଶା ପ୍ରତି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଓଡିଶାରେ ଥିବା ବିଭିନ୍ନ ଐତିହ ସ୍ଥଳି ଓ ମନ୍ଦିର ଗୁଡିକୁ ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ପ୍ରଥମେ ଶ୍ରୀମନ୍ଦିର ତାପରେ ଭୁବନେଶ୍ୱରରେ ଥିବା ଲିଙ୍ଗରାଜ ମନ୍ଦିରକୁ ବିଶ୍ୱ ଐତିହ୍ୟ ସ୍ଥଳିରେ ପହଞ୍ଚିଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଚତୁଃପାଶ୍ୱର୍ ଥିବା ବିଭିନ୍ନ ଘର ଦୋକାନ ବଜାର ଆଦି ଭାଙ୍ଗା ଯିବା ସହ ଏହାର ସୌନ୍ଦର୍ଯ୍ୟକରଣ କରାଯାଉଛି । ତେବେ ଏବେ ପାଳି ପଡିଛି ବିଶ୍ୱ ଦରବାରରେ ପରିଚିତ କୋଣାର୍କ ମନ୍ଦିରର ।
କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଇ ଏହାକୁ ନୂବବଧୂ ରୂପେ ସଜାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି । କଳାକୃତିରେ ଭରପୂର କୋଣାର୍କକୁ ଆସୁଥିବା ପର୍ଯ୍ୟଟକଙ୍କ ଯେପରି ଏଠାକୁ ଆସିବା ପରେ ଏହାର ପ୍ରସଂଶା କରିବାକୁ ଭୁଲିବେ ନାହିଁ ସେଥିପାଇଁ ପଦକ୍ଷେପମାନ ଗ୍ରହଣ କରାଯିବ । ସୂଚନାନୁଯାୟୀ, ଗତକାଲି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସଚିବ କିଶନ କୁମାର ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ କୋଣାର୍କ ଗ୍ରସ୍ତ କରିବା ସହ ସୂର୍ଯ୍ୟମନ୍ଦିରର ଚତୁଃପାଶ୍ୱର୍ ବୁଲିବା ସହ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଥମେ ଉଭୟ ଆଇଓସିଏଲ ଦ୍ୱାରା ନିର୍ମିତ ବାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ ।
ପରେ ପରେ ସୂର୍ଯ୍ୟମନ୍ଦିରର ପ୍ରବେଶ ପଥ, ଚତୁଃପାଶ୍ୱର୍ରେ ଥିବା ଅର୍ବାନ ହାଟ, ରିଙ୍ଗ ରୋଡ, ଆଇଓସିଏଲ କାର ପାର୍କିଂ, ବସ ପାର୍କିଂ, ଥାନା ଛକ, ମେଡିକାଲ ଛକ ଆଦି ବୁଲିବା ଦେଖିଥିଲେ । ଏହାସହ ଆର୍କିଟେକଙ୍କୁ ସମସ୍ତ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ତେବେ ସେମାନଙ୍କ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ରାସ୍ତା, କୋଣାର୍କକୁ ଆସୁଥିବା ସମସ୍ତ ଗାଡିଗୁଡିକ ପାଇଁ ପାର୍କିଂ ବ୍ୟବସ୍ଥା, ଆଇଓସିଏଲ ଅଧୀନରେ ଥିବା ୮ଏକର ଜମିର ବିକାଶ, ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ଭେଣ୍ଡିଙ୍ଗ ଜୋନର ବ୍ୟବସ୍ଥା ଓ ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା । ତେବେ ଏହି ଗ୍ରସ୍ତରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ସିଇଓ, ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ରାଜ୍ୟ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲିକଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।