କାନ୍ଥ ଘଣ୍ଟା କୁ ଚାହିଁଲା ବିନି। ରାତି ଦୁଇ ଟା ବାଜିଲାଣି। ନିଦ ଆସୁନି ତା ଆଖି କୁ। କେମିତି ବା ଆସିବ । ଦୁଇ ତିନି ଦିନ ଭିତରେ ତାକୁ ଦୁଇ ଲକ୍ଷ ଟଙ୍କା ଯୋଗାଡ କରିବାର ଅଛି ଝିଅ ର ଅପରେସନ ପାଇଁ। କୋଉଠୁ ଆସିବ ଏତେ ଗୁଡ଼ାଏ ଟଙ୍କା ଆଉ କାହାକୁ ହାତ ପତେଇବ ସିଏ।
ସାତ ବର୍ଷ ତଳେ ବିନି ବିବାହ କରିଥିଲା ଅମ୍ଳାନ ଙ୍କୁ। ଛୋଟ ବେଳୁ ମା କୁ ହରେଇଛି ସିଏ। ବାପାଙ୍କ ପସନ୍ଦ ରେ ବାହା ହଉଛି ବୋଲି ବାପା ଖୁସି ରେ ଖୁବ ଯାନିଯୌତୁକ ଦେଇ ବାହା କରିଥିଲେ ଝିଅ କୁ। ଆଉ ଝିଅ ନାଁ ରେ ଘର ଟିଏ କରିଦେଇଥିଲେ। ସେଇଟା କିନ୍ତୁ ବିନି ର ଶାଶୁ ଙ୍କ ଦେହ ରେ ଗଲାନି। କଣ ପାଇଁ ତାଙ୍କ ଝିଅ କୁ ଦେଲେ ମୋ ପୁଅ ନାଁ ରେ କଣ ପାଇଁ କଲେନି। ଏ କଥା କୁ ନେଇ ଘରେ ସବୁବେଳେ ଅଶାନ୍ତି। ଶାଶୁ ଯେତେବେଳେ ବିନି କୁ ଖୁଣ୍ଟା ଦିଅନ୍ତି ଚୁପଚାପ ସହିଯାଏ ବିନି। ଅମ୍ଳାନ ତାଙ୍କ ବାପା ମାଆ ଙ୍କର ବାଧ୍ୟ ସନ୍ତାନ। ମୁଁହ ଖୋଲନ୍ତି ନାହିଁ କୌଣସି କଥା ରେ।
ବାହାଘର ର ଦେଢ଼ ବର୍ଷ ପରେ ବିନି କୋଳ ରେ ଜନ୍ମ ନେଲେ ଦୁଇଟି ଯମଜ କନ୍ୟା ସନ୍ତାନ। ତା ପରେ ଆଉ ଶାଶୁ ଙ୍କୁ ଦେଖେ କିଏ। ଶାଶୁ ଙ୍କ ବ୍ୟବହାର ଅସହ୍ୟ ହେଲା ବିନି ପାଇଁ। କିଛି ଦିନ ଶାନ୍ତି ରେ ରହିବା ପାଇଁ ବାପ ଘରକୁ ଆସିଲା ସିଏ। ଚାରିମାସ ଯାଏ କେହି ତା ଭଲମନ୍ଦ ବୁଝିଲେନି। ନା ସ୍ୱାମୀ ନା ଶାଶୁ। ଶାଶୁ ଫୋନ କରି ବାପା ଙ୍କୁ ଚେତାବନୀ ଦେଇଦେଲେ ଯେ ମୋ ପୁଅ ନାଁ ରେ ଘର ଟା କରିଦେଲେ ଆମେ ତୁମ ଝିଅ କୁ ଘରକୁ ଆଣିବୁ। ସେ ଅଲକ୍ଷଣୀ ମୋ ବଉଁଶ ବୁଡ଼େଇ ଦେଲା ଆହୁରି ତୁମେ କଥା କହୁଛ। ବିନି ଶୁଣିବାକୁ ପାଇଲା ଯେ ତା ଶାଶୁ ବଂଶ ରକ୍ଷା ର ଦ୍ୱାହି ଦେଇ ଅମ୍ଳାନ ଙ୍କୁ ଆଉ ଥରେ ବାହା ଦବାକୁ ଚାହୁଁଛନ୍ତି।
କିଛିଦିନ ପାଇଁ ବୁଲିବାକୁ ଆସିଥିବା ବିନି ନିଜ ସ୍ୱାଭିମାନ କୁ ଜାବୁଡି ଧରି ସବୁଦିନ ପାଇଁ ରହିଗଲା ବାପ ଘରେ। ବାପା ଥିବା ଯାଏ ତ ସବୁ ଠିକ ଥିଲା କିନ୍ତୁ ବାପା ଆଖି ବୁଜିଦେଲା ପରେ ପୁଣି ଚଡକ ପଡିଲା ବିନି ମୁଣ୍ଡ ରେ। ବିନି ର ଭାଉଜ ସିଧା ସିଧା ଶୁଣେଇଦେଲେ ଏଠି ଅନ୍ନଛତ୍ର ଖୋଲା ହେଇନି ଯେ ଆମେ ମାଗଣା ଟା ରେ ମା ଛୁଆ ତିନି ତିନି ଜଣଙ୍କୁ ପୋଷିବୁ। ଏଠି ଯଦି ମାଗଣା ଭୋଜନ ପକେଇବାର ଅଛି ତାହେଲେ ଘର ଟା ମୋ ନାଁ ରେ କରିଦିଅ।
ପୁଣି ଥରେ ନିଜ ସ୍ୱାଭିମାନ କୁ ଜାବୁଡ଼ି ଧରି ବିନି ବାପ ଘର ଛାଡିଲା।ଘର ଛାଡିଲା ବେଳେ ତା ଭାଇ ଙ୍କର ଲୁହ ଛଳ ଛଳ ଆଖି ତାକୁ ବହୁତ କିଛି କହିଥିଲା। କିନ୍ତୁ ବିନି ଚାହିଁ ନଥିଲା ଭାଇ ଭାଇଜ ଙ୍କ ଭିତରେ ପାଚେରୀ ହେଇ ରହିବା ପାଇଁ। ଏବେ ତା ହାତ ରେ ଗୋଟିଏ ମାତ୍ର ସମ୍ପତ୍ତି । ତା ବାପା ଦେଇଥିବା ଘର। ସେ ଘରକୁ ସଫାସଫି କରି ରହିଲା ସେଠି। ଗୋଟେ ପ୍ରାଇଭେଟ କମ୍ପାନୀ ରେ ସ୍ୱଳ୍ପ ବେତନ ରେ ଯୋଗ ଦେଇ ନିଜ ଗୋଡ଼ ରେ ନିଜେ ଠିଆ ହେବାକୁ ଚେଷ୍ଟା କଲା। ଛୁଆ ଦି ଟାଙ୍କ ମୁଁହ କୁ ଚାହିଁ ସେ ତାର ଦୁଃଖଦ ଅତୀତ କୁ ଭୁଲିବାକୁ ଚେଷ୍ଟା କଲା।
କିନ୍ତୁ ବିପଦ ଯେତେବେଳେ ଆସେ ସେ ତା ଭାଇ ବନ୍ଧୁ କୁଟୁମ୍ବ ଙ୍କୁ ସାଙ୍ଗରେ ନେଇକି ଆସି ଥାଏ ନା। ସେହିପରି କିଛି ଘଟୁଥିଲା ବିନି ସହ। ଅଫିସ ରୁ ଫେରି ଦିନେ ଦେଖିଲା ଦୁଇ ମିନିଟ ଅନ୍ତର ରେ ଜନ୍ମ ହୋଇଥିବା ସାନ ଝିଅ ଟା ର ଦେହ ଭୀଷଣ ଅସୁସ୍ଥ। ବିକଳ ହେଇ କାନ୍ଦୁଛି ପେଟ କୁ ଜାବୁଡି ଧରି। ଯୋଉ ପଡ଼ୋଶିନୀ ଙ୍କ ପାଖରେ ଛାଡି ଦେଇ ଯାଇଥିଲା ଛୁଆ ଦି ଟାଙ୍କୁ ସେ ବିଚାରୀ କଣ କରିବେ ଜାଣି ପାରୁ ନାହାଁନ୍ତି।
ଝିଅ କୁ ଧରି ବିନି ସାଙ୍ଗେ ସାଙ୍ଗେ ଦୌଡ଼ିଲା ଡାକ୍ତର ଙ୍କ ପାଖକୁ।ଡାକ୍ତର କିଛି ମେଡ଼ିସିନ ଲେଖିଦେଲେ।ବିନି ଘରକୁ ଫେରି ଝିଅ କୁ ମେଡ଼ିସିନ ଦେଲା। କିନ୍ତୁ ଦୁଇ ଦିନ ପରେ ପୁଣି ସେଇ ଅବସ୍ଥା। ବିନି ପୁଣି ଦୌଡ଼ିଲା ଡାକ୍ତର ଙ୍କ ପାଖକୁ। ଏଥର ଡାକ୍ତର ପରାମର୍ଶ ଦେଲେ ଅଲ୍ଟ୍ରାସାଉଣ୍ଡ ପାଇଁ। ତା ପରଦିନ ରିପୋର୍ଟ ଧରି ବିନି ପହଂଚିଲା ମେଡିକାଲ ରେ।ରିପୋର୍ଟ ଦେଖି ଡାକ୍ତର କହିଲେ ପେଟରେ ଟିଉମର ବଢୁଛି। ଯେତେ ଜଲଦି ପାରୁଛ ଅପରେସନ କରିଦିଅ । ଅପରେସନ ପାଇଁ ଦୁଇ ଲକ୍ଷ ଟଙ୍କା ଦରକାର। ଚାରିଆଡ ଅନ୍ଧାର ଦିଶିଲା ବିନି କୁ। ଏତେ ଟଙ୍କା କୋଉଠୁ ଆଣିବ ସିଏ।
ତା ପରଦିନ ଅଫିସ ରେ ବିନି ତା ବସ ଙ୍କୁ ଅନୁରୋଧ କଲା ଦୁଇ ଲକ୍ଷ ଟଙ୍କା ଅଗ୍ରୀମ ଆକାର ରେ ଦେବା ପାଇଁ। ବସ ସିଧା ସିଧା ଶୁଣେଇଦେଲେ। ଏକେ ତ ତୁମର ନୂଆ ଚାକିରୀ , ତା ପରେ କିଛି ଦିନ ହବ ଛୁଟି ପରେ ଛୁଟି ନେଇ ଚାଲିଛ। କୋଉ ଭରସା ରେ ଆମେ ତୁମକୁ ଏତେ ଗୁଡ଼ାଏ ଟଙ୍କା ଦବୁ। ବହୁତ ଅନୁନୟ କଲା ବିନି। ବିନି ର ବେସାହାରା ପଣ ଦେଖି ମୁରୁକି ହସା ଦେଲେ ବସ। କହିଲେ ରାତିରେ ଘର ଆଡ଼େ ଆସ। ମାଡାମ ଘରେ ନାହାନ୍ତି । ଟଙ୍କା ଟା ଘରୁ ନେଇଯିବ। ଶକ୍ତ ଧକ୍କା ଲାଗିଲା ବିନି କୁ। କରେଣ୍ଟ ଲାଗିଲା ଯେମିତି ତା ଦେହ କୁ।
ତା ପରେ ସେ ଅଫିସ ରୁ ଆସି ବସିଛି ଯେ ବସିଛି। ଛୁଆ ଦୁଇ ଟାଙ୍କୁ ଶୁଆଇ ଦେଇ ଭାବୁଛି କାହାକୁ ସାହାଯ୍ୟ ମାଗିବ। ଯଦି ଶାଶୁ ଘରକୁ ଯିବ ତାହେଲେ ସ୍ୱାମୀ ନାଁ ରେ ଘର ଟା କରିବାକୁ ପଡିବ। ତା ପରେ ବି ସେଠି ଯେ ତାକୁ ସ୍ଥାନ ମିଳିବ ତାର କିଛି ଗ୍ୟାରେଣ୍ଟି ନାହିଁ। ବାପ ଘରକୁ ଗଲେ ଭାଉଜ ନାଁ ରେ ଘର ଟା କରିବାକୁ ପଡିବ। ରାତିରେ ଯଦି ବସ ଘରକୁ ଯିବ ତାହେଲେ ତାକୁ ତା ସମ୍ମାନ କୁ ବଳି ଦବାକୁ ପଡିବ। କଣ କରିବ ସିଏ।
ମନ୍ଦିର ର ଆଳତି ଘଣ୍ଟ ଶବ୍ଦ ରେ ସମ୍ବିତ ଫେରି ଆସିଲା ତାର । ଆରେ ସକାଳ ହେଇ ଗଲାଣି ଯେ । ମନେ ମନେ ଠାକୁର ଙ୍କ ଉଦ୍ଦେଶ୍ୟ ରେ ପ୍ରଣାମଟିଏ କରୁ କରୁ ତାର ମନେ ପଡିଗଲା ପିଲାଦିନେ ବୋଉ କୋଳ ରେ ଶୋଇ ଶୁଣିଥିବା ମୃଗୁଣୀ ସ୍ତୁତି ଗପ। ତାକୁ ଲାଗୁଥିଲା ସେ ଗୋଟେ ମୃଗୁଣୀ ଆଉ ତା ଚାରିପଟେ ଖାଲି ବିପଦ ହିଁ ବିପଦ। ମୃଗୁଣୀ ଯେମିତି ଶିକାରୀ ଠାରୁ ନିଜକୁ ଆଉ ନିଜ ଛୁଆ ଦୁଇ ଟାଙ୍କୁ ରକ୍ଷା କରିବା ପାଇଁ ଠାକୁରଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପି ଦେଇଥିଲା ସେମିତି ସିଏ ନିଜକୁ କାୟମନୋବାକ୍ୟରେ ସମ୍ପୂର୍ଣ୍ଣ ରୂପେ ଠାକୁର ଙ୍କ ପାଦ ତଳେ ସମର୍ପି ଦେଇ ଦୁଇ ହାତ ଟେକିଦେଲା ପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ। ତାକୁ ଲାଗୁଥିଲା ତା ଆତ୍ମବିଶ୍ୱାସ ବହୁ ଗୁଣ ରେ ବଢି ଯାଇଛି।
କଲିଂବେଲ ର ଶବ୍ଦ ରେ ରୋଷେଇ ଘରୁ ବାହାରି ଆସିଲା ବିନି। ଆରେ ଏ କଣ..। ସାମ୍ନା ରେ ତା ଭାଇ କୁ ଦେଖି ବିଶ୍ୱାସ କରିପାରିଲାନି ନିଜକୁ। କଣ କହିବ ନ କହିବ ଭାବୁ ଭାବୁ ତା ଭାଇ ତା ହାତ ରେ ଧରେଇ ଦେଲେ ଦୁଇ ଲକ୍ଷ ଟଙ୍କା ର ଚେକ ଟିଏ। କହିଲେ ବିନି ମୁଁ ବଡ ଭାଇ ହିସାବ ରେ ତୋ ପାଇଁ କିଛି ବି କରି ପାରୁନି। ଘର ଛାଡିବା ଦିନ ଠାରୁ ତୋ ବିଷୟ ରେ ସବୁ ଖବର ମୁଁ ରଖିଛି । ଏ ପଇସା ରେ ଜଲଦି ଝିଅ ର ଅପରେସନ କର। ଯାହା ଅସୁବିଧା ହବ ଜଣେଇବୁ ମୋତେ। କିନ୍ତୁ ତୋ ଭାଉଜ ଆଗରେ କିଛି କହିବୁନି ପ୍ଲିଜ। ବିନି କିଛି କହିବା ଆଗରୁ ଟିକେ ବ୍ୟସ୍ତ ଅଛି ପରେ କଥା ହେବା କହି ଚାଲି ଯାଇଥିଲେ ଭାଇ। ବିନି ଆଖିରୁ ବୋହି ଯାଉଥିଲା ଧାର ଧାର ଆନନ୍ଦାଶ୍ରୁ। ସତରେ ଭକ୍ତି ର କେତେ ଶକ୍ତି ସତେ!
ରୋଜାଲିନି ମିଶ୍ର
ଭି ଏସ ଏସ ନଗର