ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗୁଜୁରାଟରେ କାମ କରୁଥିବା ଓଡିଆ ଶ୍ରମିକ ମାନଙ୍କୁ ଓଡିଶା ଫେରାଇ ଆଣିବେ ସରକାର । ବସ୍ ମାଧ୍ୟମରେ ଓଡିଶା ଆସିବେ ଓଡିଆ ଶ୍ରମିକ । ଏନେଇ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଆଲୋଚନା କରିଥିଲେ । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ । ତେବେ ଆଲଚେନା ପରେ ଶ୍ରମିକମାନଙ୍କୁ ବସ୍ ମାଧ୍ୟମରେ ଫେରାଇ ଅଣାଯିବ ବୋଲି ମୁଖ୍ୟକମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଗୁଜରାଟରୁ ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଦୁଇ ରାଜ୍ୟରୁ ଦୁଇ ଦୁଇ ଜଣ ବରିଷ୍ଠ ଅଫିସରଙ୍କୁ ନେଇ ଏକ ସମନ୍ବୟ କମିଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ଶ୍ରମିକମାନଙ୍କୁ ନେଇ ଫେରୁଥିବା ବସ୍ର ରୋଡ୍ ଟ୍ୟାକ୍ସ ଛାଡ଼ କରିବା ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଜଣାପଡ଼ିଛି। ତେବେ ବାହାର ରାଜ୍ୟରୁ ଫେରୁଥିବା ବ୍ୟକ୍ତି ମାନେ ରେଜିଷ୍ଟ୍ରେସନ କରିବା ବାଧ୍ୟତା ମୂଳକ କରାଯାଇଛି । ଏହା ଛଡା ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ । ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।
ଆସନ୍ତା ମେ’ ୩ ତାରିଖ ଦିନ ସାରା ଦେଶରେ ଲକ୍ ଡାଉନ୍ ସରିବାର ଅଛି । ଏହା ପରେ ରାଜ୍ୟ ବାହାରେ ଥିବା ଓଡିଆ ମାନଙ୍କୁ ଓଡିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ସୂଚନାଯୋଗ୍ୟ କରୋନା ଭାଇରସ ପାଇଁ ସାରା ବିଶ୍ୱ ଏବେ ଏକପ୍ରକାରର ଲକ୍ ଡାଉନ୍ ପରିସ୍ଥିତିରେ ରହିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସାରା ଦେଶକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କରିଦିଆଯାଇଛି । ଫଲରେ ବାହାର ରାଜ୍ୟରେ ବହୁ ଓଡିଆ ଫସି ହୋଇ ରହିଛନ୍ତି । ଲକ୍ ଡାଉନ୍ ସରିବା ପରେ ରାଜ୍ୟ ସରକାର ସେମାନଙ୍କୁ ଫେରାଇ ଆଣିବାକୁ ଯୋଜନା କରୁଛନ୍ତି ।