ବଲାଙ୍ଗୀର ( ଏଟିଆର ବ୍ୟୁରୋ): ପୁଣି କୁକୁର ଖାଇଲା ମଣିଷ ଛୁଆ । ବଲାଙ୍ଗୀର ମେଡିକାଲ ଛକ ପାଖରେ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ପିଆର କଲେଜ ପାଖରୁ ମେଡିକାଲ ଛକ ମଧ୍ୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି । କୁକୁର ଖାଉଥିବା ଶିଶୁଟି କାହାର ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ସୂଚନା ଅନୁସାରେ ବଲାଙ୍ଗିର ମେଡିକାଲ ଛକ ଆଡୁ ଏକ ନବଜାତ ଶିଶୁର ମୃତଦେହ କୁକୁର ଧରି ଆସି ଝୁଣି ଝୁଣି ଖାଉଥିବାର ରାସ୍ତାରେ ଯାଉଥିବା ଲୋକ ଦେଖିଥିଲେ ।
ଯାହାକୁ ନେଇ ସେମାନେ ଥାନାକୁ ଖବର ଦେଇଥିଲେ । ସେତେବେଳକୁ କୁକୁରଟି ନବଜାତକ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଖାଇ ଦେଇଥିବା ବେଳେ କେବଳ ମୁଣ୍ଡ ଟିକୁ ଖାଉଥିବା ଦେଖାଯାଇଛି । ମେଡିକାଲରେ କାହାର ନବଜାତକ ପିଲା ମରିଯିବା ଫଳରେ ରାସ୍ତାରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷେ ମେଡିକାଲରୁ ଏନେଇ କୌଣସି ସୂଚନା ମିଳିନାହିଁ ।
ପୂର୍ବରୁ ଏଇ ଦୁଇମାସ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏମିତି ୪ ଟି ଘଟଣା ସାମ୍ନାକୁ ଆସିଲାଣି । ନବଜାତକକୁ ବାହାରେ ଖୋଲା ଯାଗାରେ ଫୋପାଡି ଦେବାରୁ କୁକୁର ସେମାନଙ୍କୁ ଖାଉଥିବା ନଜର ଆସିଛି । ତେବେ ବାରମ୍ବାର ଏମିତି ଘଟଣା ନଜର ଆସୁଥିଲେ ମଧ୍ୟ କେହି ସଚେତନ ହେଉନାହାନ୍ତି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।