ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ଥିବା ସମସ୍ତ ଘରୋଇ ହସ୍ପିଟାଲ ବା କ୍ଲିନିକ ଗୁଡିକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଜାରି କରାଯାଇଛି । ନିର୍ଦ୍ଦେଶନାମା ଅନୁଯାୟୀ,କୌଣସୀ ସାଧାରଣ ରୋଗୀଙ୍କର କରୋନା ଲକ୍ଷଣ ନଥିଲେ ତାଙ୍କୁ ପରୀକ୍ଷା ପାଇଁ ବାଧ୍ୟ କରି ପାରିବେନି ହସ୍ପିଟାଲ ।
କରୋନା ଭାଇରସ ଯୋଗୁଁ ଏବେ ଘରୋଇ ହସ୍ପିଟାଲ ଗୁଡିକ ଅନ୍ୟ ରୋଗୀଙ୍କୁ ଚିକିତ୍ସା ପାଇଁ ସିଧା ମନା କରିବା ସହ ରୋଗୀଙ୍କୁ ବିନା ଚିକତ୍ସାରେ ଘରକୁ ଫେରାଇ ଦେଉଛନ୍ତି । ଯାହାଫଳରେ ଅନେକ ରୋଗୀ ଚିକିତ୍ସା ପାଇଁ ହଇରାଣ ହେଉଛନ୍ତି । ଏଭଳି ଅନେକ ଅଭିଯୋଗ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ହସ୍ପିଟାଲ ଗୁଡିକୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ଏଥିରେ କୁହାଯାଇଛି କି ହସ୍ପିଟାଲରେ ଅନ୍ୟ ରୋଗର ଚିକିତ୍ସା ନିୟମିତ ଭାବେ କରାଯାଉ । ଖାସ୍ କରି ଡାଏଲିସିସ୍, କେମୋଥେରାପି, ରକ୍ତ ସଂକ୍ରମଣ ରୋଗୀଙ୍କୁ ଫେରାଇବାକୁ ବାରଣ କରାଯାଇଛି । ଯଦି କୌଣସି ହସ୍ପିଟାଲ ବା କ୍ଲିନିକ ଏହି ନିୟମ ଉଲ୍ଲଂଘନ କରନ୍ତି ତେବେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।