ଭୁବନେଶ୍ୱର(ଏଟିଆର ବ୍ୟୁରୋ); ଆଜି ହେଉଛି ମା ଲକ୍ଷ୍ମୀଙ୍କ ପବିତ୍ର ମାଣ ବସା । ସକାଳୁ ସକାଳୁ ଉଠି ଘରର ସ୍ତ୍ରୀ ଲୋକମାନେ ଘର ଦ୍ୱାର ଲିପି ଝୁଟି ପକାଇ ଘର ଇଶାଣରେ ମାଙ୍କ ପୂଜାର୍ଚ୍ଚନ କରୁଥିବା ବେଳେ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଛି ମାଣବସା । ଏକାଧିକ ମହିଳାମାନେ ଏଭଳି କରିଛନ୍ତି । ଘଟଣାକ୍ରମ ଏହିକି ଯେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ନିଜର ଦରମା ବୃଦ୍ଧି ପାଇଁ ଆନ୍ଦୋଳନ କରିବାକୁ ଆସିଥିବା ଅଙ୍ଗନୱଡି କର୍ମୀମାନେ ଏଭଳି ରାସ୍ତାରେ ମାଣ ବସାଇଛନ୍ତି ।
ମାସିକ ୧୮୦୦୦ ଦରମା ଦାବୀରେ ଲୋୟର ପିଏମଜିରେ ଅଲ ଓଡିଶା ଅଙ୍ଗନୱାଡି ଦିଦି ଏବଂ ସହାୟିକାମାନେ ଆନ୍ଦୋଳନ କରିବା ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଆଜି ମା ଲକ୍ଷ୍ମୀଙ୍କ ପବିତ୍ର ବ୍ରତ ହୋଇଥିବାରୁ ନାରୀର ଧର୍ମ ପାଳନ କରିବାକୁ ଯାଇ ରାଜ୍ୟର ସବୁ ଜିଲ୍ଲାରୁ ଆସିଥିବା ଏହି ମହିଳାମାନେ ମାଣବସା ପର୍ବ ପାଳନ କରିଛନ୍ତି । ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ଆନ୍ଦୋଳନରୁ ନଓହରିବେନି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଯଦି ସରକାର ଦାବୀ ନଶୁଣିବେ ତେବେ ଆଗାମୀ ଦିନରେ ଏହି ଲଢ଼େଇ ତିବ୍ର କରାଯିବ ଏବଂ ଆଗାମୀ ନିର୍ବାଚନରେ ସରକାରଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସଂଘର ସଭାପତି କହିଛନ୍ତି ।