ରାଉରକେଲା,(ଏଟିଆର ବ୍ୟୁରୋ): ପୁଣି ତେଜିଛି ଅସନ୍ତୋଷ । ରାଉରକେଲାରେ ଅଖଚକ ବନ୍ଦ । ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ସାଙ୍ଗକୁ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଏଭଳି ପରିସ୍ଥିତି ଉପୁଜିଛି । ରାସ୍ତାକୁ ଓହ୍ଲାଇଛି ଓକିଲ ସଂଘ । ରୋକଠୋକ ୧୨ଘଣ୍ଟାର ବନ୍ଦ ଡାକରା ଦିଆଯାଇଛି ।
ଟାୟାର ଜାଳି ସଂଘ ରାସ୍ତା ଅବରୋଧ କରିବା ସହ ସରକାର ତୁରନ୍ତ ସେମାନଙ୍କ ଦାବି ମାନିନେବାକୁ ଦାବି ହୋଇଛି । ସଂଘ ପକ୍ଷରୁ ପାନପୋଷ ଛକରେ ଏନଏଚ ୧୪୩କୁ ଅବରୋଧ କରାଯାଇଛି । ଫଳରେ ଯାତାୟତ ଏକଦମ ଠପ ହୋଇଯାଇଛି । ରାଉରକେଲାରେ ସମସ୍ତ ଭିତ୍ତିଭୁମି ଥିବା ସତ୍ତେ୍ୱ କାହିଁକି ଏହାକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରାଯାଉନି ତାକୁ ନେଇ ପ୍ରଶ୍ନ ଉଠାଇଛି ସଂଘ ।
ସେପଟେ ଏନେଇ ବାରମ୍ବାର ଦାବି ସାଙ୍ଗକୁ ମାସରେ ୩ଦିନ କୋର୍ଟ ବନ୍ଦ କରାଯିବା ପରେ ବି ଆଦୌ ସରକାର ଏଥିପ୍ରତି ଧ୍ୟାନ ନଦେବା ନିହାତି ଦୁର୍ଭାଗ୍ୟ ବୋଲି ସଂଘ ପ୍ରକାଶ କରିଛି । ସେପଟେ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇବା ଲାଗି ସମସ୍ତ ରାଜନୈତିକ ଦଳ ଓ ଜନସାଧାରଣଙ୍କୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।