ମାଲକାନଗିରି (ଏଟିଆର ବ୍ୟୁରୋ): ଶୀତ ଦିନିଆ ବଳିମ୍ବିତ ରାତିରେ ରାସ୍ତା ଉପରେ କୁନି କୁନି ଛାତ୍ରଙ୍କ ଲମ୍ବା ଲାଇନ୍ । କାହା ଦେହରେ ଶୀତ ବସ୍ତ୍ର ଅଛି ତ , ଆଉ କେହି କେହି ବିନା ଶୀତ ବସ୍ତ୍ରରେ ଆଗକୁ ମାଡି ଚାଲିଛନ୍ତି । ଏହା କୌଣସି ପିକନିକ୍ ର ଦୃଶ୍ୟ ନୁହେଁ ବରଂ ଭୋକ ସମ୍ଭାଳି ନପାରି ପରିସ୍ଥି ଅସହ୍ୟ ହେବାରୁ ଏଭଳି କରିବା ପାଇଁ ବାଧ୍ୟ ହୋଇଥିଲେ କୁନି କୁନି ଛାତ୍ର । ହଷ୍ଟେଲ ପାଚେରୀ ଡେଇଁ ପ୍ରଶାସନ ପାଖକୁ ଗୁହାରି କରିବାକୁ ଆସୁଥିଲେ । ଏଭଳି ଏକ ଦୟନୀୟ ଅବସ୍ଥାରେ ଥିବାର ଦୃଶ୍ୟ ମାଲକାନଗିରି ଜିଲ୍ଲା ତାର୍ଲାକୋଟା ଉନ୍ନତି ମଧ୍ୟ ଇଂରାଜୀ ଆବାସିକ ବିଦ୍ୟାଳୟ ଛାତ୍ରାବାସର ଛାତ୍ରଙ୍କ ଠାରେ ଦେଖିବାକୁ ମିଳିଛି ।
ଖବରମୁତାବକ, ଏହି ହଷ୍ଟେଲରେ ନା ଖାଇବାକୁ ଖାଦ୍ୟ ଅଛି ନା ପିଇବାକୁ ପାଣି । ଏହାସହିତ ବିଦ୍ୟୁତ୍ ମଧ୍ୟ ନାହିଁ । ଯେଉଁଥି ପାଇଁ ପିଲାମାନଙ୍କ ପାଠ ପଢାରେ ଅସୁବିଧା .ହେଉଛି । ସିଧା କହିବାକୁ ଗଲେ ଛାତ୍ରାବାସରେ ସମ୍ପୂର୍ଣ୍ଣ ଅବହେଳା କରାଯାଉଛି । ବାରମ୍ବାର ଏଭଳି ପରିସ୍ଥିତି ଉପୁଜିବା ପରେ ଗତକାଲି ରାତିରେ ପ୍ରାୟତଃ ୪୦ ଜଣ ଛାତ୍ର ପ୍ରଶାସନ ପାଖରେ ଗୁହାରି କରିବାକୁ ବାହାରିଥିଲେ । ଏତେ ଗୁଡାଏ ପିଲାଙ୍କୁ ଦେଖି ସ୍ଥାନୀୟ ଲୋକ ସେମାନଙ୍କୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ପିଲାଙ୍କୁ ବୁଝାସୁଝା କରି ଅଟୋ ଯୋଗେ ଛାତ୍ରମାନଙ୍କୁ ହଷ୍ଟେଲକୁ ଫେରାଇ ନେଇ ବିଭାଗୀୟ କର୍ତ୍ତୃପକ୍ଷକୁ ଜଣାଇଥିଲେ । ପରେ ସେମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍ ସଂଯୋଗ ମଧ୍ୟ କରାଯାଇଥିଲା ।