ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁବ୍ରତ ବାଗଚି କୋଭିଡ ୧୯ ରାଜ୍ୟରେ ପ୍ରବେଶ କରିବା ପରଠାରୁ ସବୁଠୁ ଅଧିକ ଚର୍ଚ୍ଚିତ ନାମ । ଯାହାଙ୍କ ତତ୍ୱମୂଳକ କଥା କୋଭିଡ ମୁକାବିଲାରେ ସାରା ଓଡିଶାବାସୀଙ୍କୁ ଯୋଗାଉଥିଲା ଅଦମ୍ୟ ସାହାସ । ଯାହାଙ୍କ ଗଠନ ମୂଳକ ବାର୍ତ୍ତା କୋଭିଡ ଯୁଦ୍ଧକୁ ସାମ୍ନା କରୁଥିବା ପ୍ରତ୍ୟକ ଯୋଦ୍ଧାଙ୍କୁ ଦେଉଥିଲା ବଳ । ଓଡିଶାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ପ୍ରତ୍ୟକ ଦିନ ଅପରାହ୍ନ ସାଢେ ୪ ଟାରେ ସବୁ ଗଣମାଧ୍ୟମର ସିରୋନାମା ପାଲଟିଥିଲେ ଏହି ଲୋକପ୍ରିୟ ବ୍ୟକ୍ତିତ୍ୱ । ଏହା ପଛର ପ୍ରମୁଖ କାରଣ ରହିଥିଲା ରାଜ୍ୟବାସୀଙ୍କୁ ସରକାରଙ୍କ ପକ୍ଷରୁ କୋଭିଡ ସମ୍ବନ୍ଦିତ ତଥ୍ୟ ଦେବା ସହିତ ବିଭିନ୍ନ ପୌରାଣିକ , ସାଂସ୍କୃତିକ ଓ ପାରମ୍ପାରିକ ଘଟଣା ସହିତ ଜଡିତ ବିଭିନ୍ନ ଉଦାହରଣ ଦେଇ ସେ ରାଜ୍ୟବାସୀଙ୍କୁ ସଚେତନ କରୁଥିଲେ ।
ନିଜର ମିଷ୍ଟଭାଷା ଓ ସଚେତନତାର ବାର୍ତ୍ତା ପାଇଁ ସେ ଖୁବ କମ ସମୟ ମଧ୍ୟରେ ଘରେ ଘରେ ଲୋକପ୍ରିୟ ହୋଯାଇଥିଲେ । ପୂର୍ବରୁ ମଧ୍ୟ ସେ ବୁଦ୍ଧିଜୀବି ଓ ପ୍ରଶାସକ ମହଲରେ ବେଶ ପରିଚିତ ଥିଲେ । ମାତ୍ର କୋଭିଡ ୧୯ ର ମୁଖପାତ୍ର ଭାବେ ସାମ୍ନାକୁ ଆସିବା ପରେ ତାଙ୍କର ଲୋକପ୍ରିୟତା ଅଧିକ ବଢି ଯାଇଥିଲା । ମାର୍ଚ୍ଚ ୧୫ ତାରିଖ ପରଠାରୁ ପ୍ରତିଦିନ ମ୍ସାମ୍ବାଦିକ ସମ୍ମୀଳନୀରେ ସେ କୋଭଡି ୧୯କୁ ନେଇ ବିଶ୍ୱ, ଦେଶ ଓ ରାଜ୍ୟର ଟିକନିଖ ତଥ୍ୟ ଦେଉଥିଲେ । ଏହା ବାଦ କିଭଳି ରାଜ୍ୟବାସୀ କରୋନା ସହିତ ସଫଳ ମୁକାବିଲା କରି ପାରିବେ ସେ ନେଇ ସଚେତନ ବାର୍ତ୍ତା ବାଣ୍ଟୁଥିଲେ ।
ତାଙ୍କର ସବୁଠାରୁ ଗୋଟେ ଚର୍ଚ୍ଚିତ ବାତ୍ତା ରହିଥିଲା ବଜାରରୁ ବାଇଗଣ କିଣିବା ବେଳେ ବାଇଗଣରୁ ପୋକ ଆସୁ ଚଳିବ ହେଲେ ଭୂତାଣୁ ନଆସୁ । ଯାହାର ପ୍ରକୃତ ଅର୍ଥ ରହିଥିଲା ବାଇଗଣ କିଣିବା ବେଳେ ଲୋକମାନେ ସାଧାରଣତ ବାଇଗଣକୁ ଏପଟସେପଟ କରି ୁ ହାତରେ ଧରି ଦେଖିଥାନ୍ତି । ଯାହାଫଳରେ ପରିବା ଦୋକାନରେ ଅଧିକ ସଂକ୍ରମଣର ଆଶଙ୍କା ରହିଥାଏ । ସେହିଭଳି ଅସୁସ୍ଥତା ବେଳେ ମଣିଷର ସଂଘରୋଧରେ ରହିବା ଆବଶ୍ୟକ । କାରଣ ଆମ ପରମ୍ପରାରେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ଅସୁସ୍ଥତା ପାଇଁ ଅଣସର ଘରେ ରହିଥାନ୍ତି ।
ଉପଦେଶ ଆଉ କଥା ଛଳରେ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଶ୍ରୀ ବାଗଚିଙ୍କୁ ଗତ ମେ ୧୮ ତାରିଖ ଠାରୁ ଆଉ ଦେଖିବାକୁ ମିଳୁନାହିଁ । ପ୍ରଥମେ ପ୍ରତିଦିନ ଆସୁଥିବା ସୁବ୍ରତ ବାଗଚି ସପ୍ତାହକୁ ୨ ରୁ ୩ ଦିନ ପ୍ରେସ ବ୍ରିଫିଙ୍ଗରେ ଆସିବେ ବୋଲି ସୂଚନା ଦିଆଯାଇଥିଲା । ମାତ୍ର ମେ ୧୮ ତାରିଖ ଠାରୁ ଶ୍ରୀ ବାଗଚିଙ୍କୁ ଆଉ ପ୍ରେସ ବ୍ରିଫିଙ୍ଗରେ ଦେଖିବାକୁ ମିଳୁନାହିଁ । ଏମିତିକି ବନ୍ଦେ ଉତ୍କଳ ଜନନୀ ଗାନ ହେବା ଦିନ ମଧ୍ୟ ଶ୍ରୀ ବାଗଚିଙ୍କୁ ଦେଖିବାକୁ ମିଳିନାହିଁ । ଯାହାଫଳରେ ଶୋସାଲ ମିଡିଆରେ ଏବେ ସୁବ୍ରତ ବାଗଚିଙ୍କୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କୁଆଡେ ଗଲେ ରାଜ୍ୟ କୋଭିଡ ମୁଖପାତ୍ର ? କାହିଁକି ଆସୁ ନାହାନ୍ତି ସୁବ୍ରତ ବାଗଚି ? ଏହା ପଛରେ କ’ଣ ରହିଛି କାରଣ ?
ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦିଆଯାଉ ବୋଲି ସାଧାରଣରେ ଦାବି ହେଉଛି ।