ଭୁୁବନେଶ୍ୱର(ଏଟିଆର ବ୍ୟୁରୋ): ସର୍ବସାଧାରଣରେ ୭ ଜଣରୁ ଅଧିକ ଲୋକ ଏକତ୍ର ହେବାକୁ ମନା କରାଯାଇଛି । ଏନେଇ ଆଜି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଦେଇଥିବା ଜନତା କର୍ଫ୍ୟୁର ଆହ୍ୱାନକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ରବିବାର ସମସ୍ତ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ସୁବ୍ରତ ବାଗଚୀ କହିଛନ୍ତି ରାଜ୍ୟରେ ଚିହ୍ନଟ ହୋଇଥିବା ଦିତୀୟ କରୋନା ରୋଗୀ ୪୬ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ସେଥିମଧ୍ୟରୁ ୪୩ ଜଣଙ୍କୁ ଚିହ୍ନଟ କରାଯାଇଛି । ବାକି ୩ ଜଣଙ୍କୁ ଖୋଜିବା ପାଇଁ ୮ଟି ଟିମ ନିୟୋଜିତ କରାଯାଇଛି । ଚିହ୍ନଟ ଦ୍ୱିତୀୟ କରୋନା ରେଗୀଙ୍କ ପରିବାର ଲୋକଙ୍କୁ ଆଇସୋଲେଶନ ୱାର୍ଡରେ ରଖାଯାଇଛି । ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । କରୋନା ଛଡା କୌଣସି ପ୍ରକାରର ମିଟିଂ କରାଯାଇ ପାରିବ ନାହିଁ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ଏହା ସହ ମାର୍ଚ୍ଚ ୨୫ ତାରିଖରୁ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ଏସଟି/ଏସସି ହଷ୍ଟେଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହଷ୍ଟେଲ ବନ୍ଦ ହେବା ପୂର୍ବରୁ ଛାତ୍ରାଛାତ୍ରୀ ମାନେ ପାଉଥିବା ଷ୍ଟାଇପେଣ୍ଡ ଦିଆଯିବ ବୋଲି ସୂଚନା ମିଳିଛି । ଆଗୁଆ ତିନି ମାସର ଷ୍ଟାଇପେଣ୍ଡ ଛାତ୍ରାଛାତ୍ରୀ ମାନଙ୍କୁ ପ୍ରଦାନ କରାଯିବ । ମାସପିଛା ବାଳିକାମାନଙ୍କୁ ୨୪୦୦ଟଙ୍କା ଓ ବାଳକମାନଙ୍କୁ ୨୨୫୦ଟଙ୍କା ପ୍ରଦାନ କରାଯିବ। ଛାତ୍ରଛାତ୍ରୀଙ୍କର ଅଭିଭାବକମାନେ ସ୍କୁଲରେ ପହଞ୍ଚି ଏହି ଅଗ୍ରୀମ ଷ୍ଟାଇପେଣ୍ଡ ଗ୍ରହଣ କରିବା ସହ ପିଲାମାନଙ୍କୁ ସାଥିରେ ଘରକୁ ନେବେ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ କରୋନା ଭାଇରସରେ ଭାରତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସାରା ବିଶ୍ୱକୁ ଏବେ କରୋନା ଭୟ । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୭ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି । ସେହିପରି ଭାରତରେ ୧୯୫ରୁ ଉର୍ଦ୍ଧ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତା ହୋଇଥିବାର ସୂଚନା ରହିଛି । ଏଥିରେ ୩୨ ଜଣ ବିଦେଶୀ ନାଗରିକ ଥିବାର ଜଣାପଡିଛି । ଅନ୍ୟପଟେ କରୋନା ମୁକାବିଲା ପାଇଁ ଆସନ୍ତା ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ଗାଇଡ ଲାଇନ ଜାରି କରାଯାଇଛି । ତେବେ ପୂର୍ବରୁ ମୁମ୍ବାଇ, କର୍ଣ୍ଣାଟକା, ଦିଲ୍ଲୀ ,ପଞ୍ଜାବ ଓ ଜୟପୁରରେ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।