ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଥିଲେ ଯେ, ବାହାର ରାଜ୍ୟରୁ ଫେରୁଥିବା ଓଡିଆ ମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତୁ ନାହିଁ । ସେମାନଙ୍କର ଅଧିକାର ରହିଛି ଓଡିଶାରେ ରହିବାର । ତେବେ ବର୍ତ୍ତମାନ ଫେରୁଥିବା ବିଦେଶରୁ ଓଡିଆ ମାନେ ବାହାର ରାଜ୍ୟ ନୁହେଁ ବରଂ ଯେଉଁଠି ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ବ୍ୟାପିଛି ସେଠାରୁ ଫେରିବେ । ସେମାନଙ୍କୁ ଅତି ଆଦରର ସହ ଆମେ କ୍ୱାରେଣ୍ଟାଇନରେ ରଖିବା । ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା । ସେହିପରି ଅତିତରେ ବନ୍ୟା, ବାତ୍ୟା ଭଲି ପରିସ୍ଥିତିରେ ଯେଉଁ ଭଲି ରାଜ୍ୟ ସରକାର ମୁକାବିଲା କରିଥିଲେ ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ମୁକାବିଲା କରାଯାଉଛି । ରାଜ୍ୟର ମୋଟ ୬୭୯୮ଟି ପଞ୍ଚାୟତରେ ୧୨୦୦ ଅସ୍ଥାୟୀ ମେଡିକାଲ କରାଯାଇଛି । ଯେଉଁଥିରେ ୫ଲକ୍ଷ ବେଡ କରାଯାଇଛି । ଯେଉଁମାନେ ବାହାର ରାଜ୍ୟ ରୁ ଆସିଛନ୍ତି କିମ୍ବା ଆସିବେ ସେମାନେ ଏଠାରେ ୧୪ ଦିନିଆ କ୍ୱାରାଣ୍ଟାଇନରେ ରହିବେ । ସବୁ କ୍ୱାରାଣ୍ଟାଇନ ସେଣ୍ଟରରେ ଫେରନ୍ତା ମାନଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା କରାଯାଇଛି । ଯେଉଁ ମାନେ କ୍ୱାରାଣ୍ଟାଇନ ନିୟମକୁ ମାନିବେ ନାହିଁ ସେମାନଙ୍କୁ ଅନ୍ୟ ଜିଲ୍ଲାର କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଯିବା ସହ ସେମାନଙ୍କୁ ସରକାର ଯୋଗାଇ ଦେଉଥିବା ଅର୍ଥରାଶି ମିଳିବ ନାହିଁ । ଏହା ସହ ଆଇନ ଅନୁସାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।
ତେବେ ଆଜି ୭୪୫୧ ଜଣ ଓଡିଆ ରାଜ୍ୟକୁ ଫେରିଛନ୍ତି । ସେହିଭଳି ମେ’ ୩ରୁ ରାଜ୍ୟକୁ ମୋଟ ୩୫୫୪୦ ଜଣ ଓଡିଆ ଫେରିଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି । ସେହିପରି ସୂଚନା ଦେଇ ସୁବ୍ରତ ବାଗଚୀ କହିଛନ୍ତି ଯେ, ଭାରତରେ ୧୨୭୬୭୮୧ ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୪୯୩୯୧ଟି ପଜେଟିଭ ବାହାରିଥିବା ବେଳେ ୧୪୧୮୨ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୬୯୪ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଓଡିଶାରେ ୪୭୪୫୪ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୮୦ଟି ପଜେଟିଭ ବାହାରିଥିବା ବେଳେ ୬୧ ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ଆଉ ଜଣେ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତିି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।