ଭୁବନେଶ୍ୱର (ଏଟିଆର ବ୍ୟୁରୋ): ‘ଅଙ୍ଗଦାନ ମହାପୂର୍ଣ୍ଣ’ ଉକ୍ତକୁ ସତ୍ୟ କରି ସବୁ ଦିନ ପାଇଁ ଅମର ହୋଇ ରହିଗଲେ କଟକ ରାଜା ବଗିଚା ଲେବର କଲୋନୀ ଅଞ୍ଚଳର ସୁଚିତ୍ରା ଦାସ । ନିଜେ ମରି ବି ଆଉ ଦୁଇ ଜୀବନ ବଞ୍ଚାଇଲେ ସୁଚିତ୍ରା । ଗତକାଲି ସୁଚିତ୍ରାଙ୍କର ବ୍ରେନ ଡେଡ ହେବା କଥା ଡାକ୍ତର ଘୋଷଣା କରିବା ପରେ ସୁଚିତ୍ରାଙ୍କ ପରିବାର ଲୋକ ତାଙ୍କର ଅଙ୍ଗଦାନ କରି ତାଙ୍କୁ ସବୁ ଦିନ ପାଇଁ ଅମର କରିଦେବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ସୂଚନାନୁଯାୟୀ, ଗତ ୨୩ ତାରିଖ ଦିନ ୫୬ ବର୍ଷୀୟା ସୁଚିତ୍ରା ଦାସ ଦୁର୍ଘଟଣାର ଶିକାର ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ବ୍ରେନ ଡେଡ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ । ଏହାପରେ ଅଙ୍ଗଦାନ ନିମନ୍ତେ ସୁଚିତ୍ରାଙ୍କର ସ୍ୱାମୀଙ୍କ ଅନୁମୋଦନ କ୍ରମେ ସ୍ୱାସ୍ଥ୍ୟ ବିଭାଗର ଅନୁମତି ଲୋଡା ଯାଇଥିଲା । ସୁଚିତ୍ରାଙ୍କର ଜୀବନ ବୃଥାରେ ଯେପରି ନଯାଉ ସେଥିପାଇଁ ତାଙ୍କ ଶରୀରର କିଡନୀ, ଲିଭର, ହାର୍ଟ ମଧ୍ୟ ଦାନ କରିବାକୁ ପରିବାର ଲୋକ ରାଜି ଥିଲେ ହେଲେ ହସ୍ପିଟାଲ କତ୍ତୃପକ୍ଷ ସୁଚିତ୍ରାଙ୍କ ଶରୀରରୁ ଦୁଇଟି ଯାକ କିଡନୀ କାଢିଥିଲେ ।
ସୁଚିତ୍ରାଙ୍କ ଶରୀରରୁ କଢା ଯାଇଥିବା ଦୁଇଟି ଯାକ କିଡନୀ ମଧ୍ୟରୁ ଗୋଟିଏ କିଡନୀକୁ ଆମ୍ରି ହସ୍ପିଟାଲରେ ଚିକିତ୍ସାତ ହେଉଥିବା ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ ହୋଇଥିବା ବେଳେ ଅନ୍ୟଟି ସେହି ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶରୀରରେ ଲାଗିଥିଲା । ସୁଚିତ୍ରାଙ୍କର ଏହି ଅଙ୍ଗଦାନ ଫଳରେ ସେ ସବୁଦିନ ପାଇଁ ଅମର ହେବା ସହ ଦୁଇଜଣଙ୍କର ଜୀବନ ବଞ୍ଚାଇ ପାରିଛନ୍ତି ।