ଗଞ୍ଜାମ (ଏଟିଆର ବ୍ୟୁରୋ); ବୁଝିବା ସୁଝିବା ବୟସରେ ମଧ୍ୟ ଅବୁଝା ଭଳି ହୋଇଛନ୍ତି ଯୁବକ । ଛୋଟ ପିଲାଙ୍କ ଭଳି ଅଭିମାନ କରିଛନ୍ତି । ତେବେ ଏହି ଅଭିମାନ ଅନ୍ୟ କାହା ଉପରେ ନୁହେଁ ନିଜର ମାଉସୀ ଏବଂ ବାପା ମାଙ୍କ ଉପରେ । ସାମାନ୍ୟ ବଣଭୋଜି କରିବା ପାଇଁ ପଇସା ନଦେବାରୁ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜରଡା ଥାନା କେରୁଆ ଗ୍ରାମରେ । ମୃତକ ଜଣକ ହେଲେ ନରସିଂହ ବେହେରା ।
ମିଳିଥିବା ସୂଚନା ମୁତାବକ ମୃତ ନରସିଂହ ତାଙ୍କ ମାଉସୀ ଘର କେରୁଆରେ ରହୁଥିଲେ । ତେବେ ସେଠାକାର ବଣିକ ସଂଘ ସହ ନରସିଂହ ଭଲରେ ମିଳାମିଶା କରୁଥିଲେ । କେରୁଆ ବଣିକ ସଂଘ ବଣଭୋଜି କରିବା ପାଇଁ ଘଟଗାଁ ତାରିଣୀ ଏବଂ କପିଳାସ ଯିବାର ଥିଲା । ତେବେ ସେମାନଙ୍କ ସହ ଯିବା ଲାଗି ମାଉସୀଙ୍କୁ ପଇସା ମାଗିଥିଲେ ନରସିଂହ । ପଇସା ଦେବା ପାଇଁ ମାଉସୀ ମନା କରିଦେଇଥିଲେ । ପରେ ଘରକୁ ଫୋନ କରି ବାପା ମାଙ୍କୁ ପଇସା ମାଗିଥିଲେ ମଧ୍ୟ ସେମାନେ ମନା କରିଦେଇଥିଲେ ।
ପଇସା ପାଇଁ ମନା କରିବା ପରେ ମାଉସୀ ଏବଂ ବାପା ମାଙ୍କ ଉପରେ ଅଭିମନେ କରି ଗାଁ ମୁଣ୍ଡରେ ଥିବା ଏକ କୂଷ୍ଣଚୁଡା ଗଛରେ ଫାସି ଦେଇଥିବା ଦେଖିବାକୁ ମିଳିଥିଲା । ନରସିଂହ ବାପା ମାଙ୍କର ଗୋଟିଏ ମାତ୍ର ପୁଅ । ତେବେ ଏହି ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।